କିଭ୍କୁ ଅକ୍ତିଆର ଲକ୍ଷ୍ୟରେ ଥିବା ରୁଷର ଉଦ୍ୟମ ସଫଳ ହେବନାହିଁ : ୟୁକ୍ରେନ୍ ରାଷ୍ଟ୍ରପତି
ଗୋଟିଏ ପଟେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ରୁଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ୟୁକ୍ରେନ୍ରେ ପ୍ରବେଶ କରି ରାଜଧାନୀ କିଭ୍କୁ ଅକ୍ତିଆର ଲକ୍ଷ୍ୟରେ ଥିବା ରୁଷର ଉଦ୍ୟମ ସଫଳ ହେବନାହିଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନେସ୍କି କହିଛନ୍ତି।
ୟୁକ୍ରେନର ନାଗରିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, “ଯେତେବେଳେ ମୁଁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ୁଥିଲି, ମୁଁ କହିଥିଲି ଯେ ଆମ ସମସ୍ତେ ରାଷ୍ଟ୍ରପତି । କାରଣ ଆମେ ସମସ୍ତେ ମିଶି ହିଁ ୟୁକ୍ରେନକୁ ସୁରକ୍ଷା କରିଦେଇପାରିବା। ବର୍ତ୍ତମାନ ସ୍ଥିତିରେ ଆମେ ସମସ୍ତେ ଜଣେ ଜଣେ ଯୋଦ୍ଧା। ଋଷ ସେନା ନିଜ ନିଜର ଜୀବନ ବଞ୍ଚାଇ ପଛକୁ ଫେରିଯିବାରେ ହିଁ ସମସ୍ତଙ୍କର ମଙ୍ଗଳ ହେବ। ବେଲାଋଷ ସୀମାରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପୂର୍ବରୁ ରାଷ୍ଟ୍ରପତି ଜେଲେନସ୍କି ଏଭଳି କହିଛନ୍ତି।
ସେହିପରି ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ପକାଇବାକୁ ଅନୁରୋଧ କରାଯାଇଛି । ସେପଟେ ୟୁକ୍ରେନ୍ ସଙ୍କଟକୁ ନେଇ ଜେନେଭାରେ ୟୁଏନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଗୋଟିଏ ପଟେ ଉଭୟ ପକ୍ଷ ଯୁଦ୍ଧ ମଇଦାନରୁ ଓହରି ନଥିବା ବେଳେ ଅନ୍ୟପଟେ ସମାନ୍ତରାଳ ଭାବେ ଶାନ୍ତି ଆଲୋଚନା ଚାଲିଛି।
ଏହା ପୂର୍ବରୁ ୟୁକ୍ରେନ ସରକାର ଦାବି କରିଥିଲେ ଯେ, ଋଷ ଦେଶ ଉପରେ ଆକ୍ରମଣ କରିବା ପରଠାରୁ ୩୫୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ୪୫୦୦ ରୁଷ ସୈନ୍ୟ ନିହତ ହୋଇଛନ୍ତି।
Powered by Froala Editor