ୟୁକ୍ରେନକୁ ଆମେରିକା ଯୋଗାଇବ ୬୦୦ ନିୟୁତ ଡଲାର ମୂଲ୍ୟର ଭୟଙ୍କର ମାରଣାସ୍ତ୍ର
ଓ୍ୱାଶିଂଟନ: ଋଷ ସୈନ୍ୟଙ୍କ ମୁକାବିଲା ଲାଗି ୟୁକ୍ରେନକୁ ଆମେରିକା ଯୋଗାଇବ ୬୦୦ ନିୟୁତ ଡଲାର ମୂଲ୍ୟର ଭୟଙ୍କର ମାରଣାସ୍ତ୍ର । ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିନିଧି ସଭାର ସ୍ପିକର ନାନସି ପେଲୋସି । ଏହା ସହ ୟୁକ୍ରେନକୁ ସମସ୍ତ ପ୍ରକାର ମାନବିକ ସହାୟତା ଯୋଗାଇବାକୁ ସେ ଘୋଷଣା କରିଛନ୍ତି । ଅତ୍ୟାଧୁନିକ ଓ ଅତି ଭୟଙ୍କର ଏହି ମାରଣାସ୍ତ୍ର ପ୍ରଥମ ଥର ଲାଗି ପ୍ରୟୋଗ ହେବ ବୋଲି ସୂଚନା ମିଳିଛି ।
ଆମେରିକାରେ ଥିବା ଋଷର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ ବୋଲି ବାଇଡେନ ଘୋଷଣା କରିଛନ୍ତି । ଏହା ସହ ଗ୍ରୁପ-୭ ରାଷ୍ଟ୍ର ମଧ୍ୟ ଋଷ ବିରୋଧରେ କଡ଼ା କଟକଣା ଜାରି କରିବେ ବୋଲି କହିଛନ୍ତି ବାଇଡେନ । ରାଷ୍ଟ୍ର ଉଦ୍ଦେଶ୍ୟରେ ଭାଷଣ ଦେଇ ବାଇଡେନ କହିଛନ୍ତି- ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ । ବାଇଡେନଙ୍କ ଏହି ଘୋଷଣା ପରେ ଆମେରିକାସ୍ଥିତ ଋଷର ୪ଟି ବିଶାଳ ବ୍ୟାଙ୍କର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ସହ ସମସ୍ତ କାରବାର ଉପରେ ନିଷେଧାଦେଶ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେପଟେ ଯୁଦ୍ଧ ସ୍ଥିତି ନେଇ ଭାରତ ସହ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କହିଛନ୍ତି ୟୁକ୍ରେନ ସଂକଟ ପରିପ୍ରେକ୍ଷୀରେ ଭାରତର ଭୂମିକାକୁ ଆମେରିକା ଗୁରୁତ୍ୱ ଦେଉଛି । ଏନେଇ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ।
ୟୁକ୍ରେନ ବିପକ୍ଷରେ ଋଷର ଯୁଦ୍ଧକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବିଶ୍ୱକୁ ସମ୍ବୋଧନ କରି ଆମେରିକାର ରାଷ୍ଟ୍ରପତି ବାଇଡେନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୁଟିନ ଆକ୍ରମଣକାରୀ, ସେ ଯୁଦ୍ଧ ବାଛିଛନ୍ତି, ପରିଣାମ ଭୋଗିବେ । ଋଷର ତୈଳ ରପ୍ତାନୀ ଉପରେ କଟକଣା ଜାରି ହେବ । ଋଷର ୪ଟି ବଡ଼ ବ୍ୟାଙ୍କ ଉପରେ କଟକଣା ଲଗାଯାଇଛି । ଆମେରିକାରେ ଥିବା ଋଷର ସମସ୍ତ ସମ୍ପତ୍ତି ଅଚଳ କରାଯିବ । ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ । ଯଦି ଋଷ ସାଇବର ହମଲା କରେ, ସେଥିପାଇଁ ଆମେ ପ୍ରସ୍ତୁତ । ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ । ଋଷ ରାଷ୍ଟ୍ରପତିଙ୍କ ସହ କଥା ହେବାର ଯୋଜନା ନାହିଁ । ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଚାହୁଁଛି ଋଷ । ୟୁକ୍ରେନ ପ୍ରସଙ୍ଗରେ ଭାରତ ସହ ଆଲୋଚନା ହେବ ବୋଲି ବାଇଡେନ କହିଛନ୍ତି ।
Powered by Froala Editor