ଋଷର ଆକ୍ରମଣ: ୟୁକ୍ରେନରେ ୧୩୭ ମୃତ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଛି। ଋଷ ଆକ୍ରମଣରେ ଏଯାଏଁ ୧୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧୬ ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଋଷର ଆକ୍ରମଣରେ ଆମେ ୧୩୭ ଜଣଙ୍କୁ ହରେଇଛୁ ଏବଂ ଏହି ଆକ୍ରମଣରେ ୩୧୬ ଜଣ ଆହତ ହୋଇଛନ୍ତି ।
ଋଷ କ୍ଷେପଣାସ୍ତ୍ର ବଳରେ ୟୁକ୍ରେନର ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବସଂ କରିଦେଇଛି । ଏହି ମହାଯୁଦ୍ଧକୁ ଏଡାଇବାକୁ ତଥା ଋଷକୁ ସାମରିକ କାର୍ୟ୍ୟାନୁଷ୍ଠାନରୁ ନିବୃତ୍ତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବିଶ୍ବ ନେତା । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷର ଆକ୍ରମଣ ନେଇ ବୈଠକ କରିଛନ୍ତି । ଋଷ ବିରୋଧରେ କଟକଣା ଲାଗୁ କରିବା ପାଇଁ ବାଇଡେନ ଜି-୭ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି ।ଏହି ବୈଠକରେ ବାଇଡେନ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ବର୍ଷିଥିବା ଜଣାପଡ଼ିଛି । ପୁଟିନ ଅନ୍ତର୍ଜାତୀୟ ନିୟମର ଖୋଲା ଉଲ୍ଲଘଂନ କରିଛନ୍ତି । ଏବଂ ଋଷ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧକ ଲଗାଇବା ନେଇ ଖୋଲା ଚେତାବନୀ ମଧ୍ୟ ଦେଇଛନ୍ତି ।
ୟୁକ୍ରେନ ବିପକ୍ଷରେ ଋଷର ଯୁଦ୍ଧକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବିଶ୍ୱକୁ ସମ୍ବୋଧନ କରି ଆମେରିକାର ରାଷ୍ଟ୍ରପତି ବାଇଡେନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୁଟିନ ଆକ୍ରମଣକାରୀ, ସେ ଯୁଦ୍ଧ ବାଛିଛନ୍ତି, ପରିଣାମ ଭୋଗିବେ । ଋଷର ତୈଳ ରପ୍ତାନୀ ଉପରେ କଟକଣା ଜାରି ହେବ । ଋଷର ୪ଟି ବଡ଼ ବ୍ୟାଙ୍କ ଉପରେ କଟକଣା ଲଗାଯାଇଛି । ଆମେରିକାରେ ଥିବା ଋଷର ସମସ୍ତ ସମ୍ପତ୍ତି ଅଚଳ କରାଯିବ । ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ । ଯଦି ଋଷ ସାଇବର ହମଲା କରେ, ସେଥିପାଇଁ ଆମେ ପ୍ରସ୍ତୁତ । ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ । ଋଷ ରାଷ୍ଟ୍ରପତିଙ୍କ ସହ କଥା ହେବାର ଯୋଜନା ନାହିଁ । ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଚାହୁଁଛି ଋଷ । ୟୁକ୍ରେନ ପ୍ରସଙ୍ଗରେ ଭାରତ ସହ ଆଲୋଚନା ହେବ ବୋଲି ବାଇଡେନ କହିଛନ୍ତି ।
Powered by Froala Editor