୧ରୁ ଖୋଲିବ ଦିଲ୍ଲୀ ଚିଡିଆଖାନା, କେବଳ ଅନ୍ଲାଇନରେ ଟିକେଟ୍ ବୁକିଂ
ମାର୍ଚ୍ଚ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଦିଲ୍ଲୀ ଚିଡିଆଖାନା। କରୋନା ମହାମାରୀର ପାଇଁ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ଏହି ଚିଡିଆଖାନାଟି ମାର୍ଚ୍ଚ ୧ ରୁ ଖୋଲା ଯାଉଛି। କିନ୍ତୁ ବର୍ତ୍ତମାନ ସୀମିତ ସଂଖ୍ୟକ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯିବ । ପର୍ଯ୍ୟଟକମାନେ କେବଳ ଅନଲାଇନରେ ଟିକେଟ୍ ପାଇବେ। ଚିଡିଆଖାନାର ୱେବସାଇଟରୁ ଟିକେଟ ଅନଲାଇନରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି ।
ଚିଡିଆଖାନାର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ପଶୁମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟଟକଙ୍କୁ ମାସ୍କ ଏବଂ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ । ସାନିଟାଇଜର ବ୍ୟବହାର ଏବଂ ଥର୍ମାଲ୍ ସ୍କ୍ରିନିଂ ପରେ ଚିଡିଆଖାନାରେ ପ୍ରବେଶ କରିପାରିବେ। ଭିତରେ ଖାଦ୍ୟ ଏବଂ ପାନୀୟ ସେବନ କରିବା ସମ୍ପୂର୍ଣ୍ଣ ନିଷେଧ । ଚିଡିଆଖାନାରେ ପ୍ରବେଶ କରିବା ପାଇଁ ଅନଲାଇନରେ ଟିକେଟ୍ ବୁକ୍ କରିବାର ବ୍ୟବସ୍ଥା ହେବ । ମୋବାଇଲ୍ ନମ୍ବର ଏବଂ ଏକ କୋଡ୍ (ସୁରକ୍ଷା କୋଡ୍) ଦେବେ। ଆପଣଙ୍କର ବିବରଣୀ (ନାମ, ଇମେଲ୍, ଇତ୍ୟାଦି) ପୁରଣ କରିବେ। ମୋବାଇଲରେ ଏକ ଓଟିପି ଆସିବ, ଯାଞ୍ଚ ପରେ ଟିକେଟ୍ ବୁକିଂ ସ୍କ୍ରିନ୍ ଉପଲବ୍ଧ ହେବ । ତା’ପରେ ଏକ ନିର୍ଦ୍ଦିଷ୍ଟ ସମୟର ସ୍ଲଟ୍ ଚୟନ କରିବାକୁ ହେବ ଏବଂ ଟିକେଟ୍ ସଂଖ୍ୟା ସ୍ଥିର କରିବାକୁ ପଡିବ । ଦେୟ ଦେବା ମାତ୍ରେ ଟିକେଟ୍ ବୁକ୍ ହେବ ।
ତେବେ ବହୁ ଦିନ ପରେ ଦିଲ୍ଲୀ ଚିଡିଆଖାନା ଖୋଲାଯାଉଥିବାରୁ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଚିଡିଆଖାନା ଖୋଲିବା ସହ କୋଭିଡ୍ କଟକଣା ମଧ୍ୟ ମାନିବାକୁ ବାଧ୍ୟ ବୋଲି ସୂଚିତ କରାଯାଇଛି ।
Powered by Froala Editor