ଥାନେ ଓ ପାଲଘର ଜିଲ୍ଲାରେ ବାର୍ଡ ଫ୍ଲୁ : ମରାହେଲା ୨୫ ହଜାରରୁ ଊର୍ଦ୍ଧ୍ୱ କୁକୁଡା
ମହାରାଷ୍ଟ୍ରର ଥାନେ ଓ ପାଲଘର ଜିଲ୍ଲାରେ ଦେଖାଦେଇଛି ବାର୍ଡ ଫ୍ଲୁ । ଏହାପରେ ରାଜ୍ୟ ସରକାର ୨୫,୦୦୦ରୁ ଊର୍ଦ୍ଧ୍ୱ କୁକୁଡା ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଜିଲ୍ଲାରେ ସଂକ୍ରମଣ ହଟସ୍ପଟର ୧କିଲୋମିଟର ବ୍ୟାସାର୍ଦ୍ଧରେ ୨୫,୦୦୦ରୁ ଅଧିକ କୁକୁଡ଼ାଙ୍କୁ ହତ୍ୟା କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ପଶୁପାଳନ ମନ୍ତ୍ରୀ ସୁନୀଲ କେଦାର ଗଣମାଧ୍ୟମକୁ କହିଛନ୍ତି।
ଗତ ସପ୍ତାହରେ ଥାନେ ଜିଲ୍ଲାର ଶାହପୁରର ଭେଲୋଲି ଅଞ୍ଚଳରେ ୩୦୦ରୁ ଅଧିକ କୁକୁଡ଼ା ମୃତ ଅବସ୍ଥାରେ ମିଳିଥିଲେ। ଏହାପରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନମୁନାଗୁଡ଼ିକୁ ପୁଣେ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଥିଲେ। ପରୀକ୍ଷା ରିପୋର୍ଟରୁ ମୃତ କୁକୁଡ଼ାଙ୍କ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା। ଏହା ପରେ ହିଁ ଜିଲ୍ଲାପାଳମାନଙ୍କୁ ୨୫,୦୦୦ରୁ ଅଧିକ କୁକୁଡ଼ା ମାରିବା ସହ ସମସ୍ତ ଅଣ୍ଡା ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପାଲଘର ଜିଲ୍ଲାର ପଡ଼ୋଶୀ ଭାସାଇ-ଭିରାର ଅଞ୍ଚଳର ଥିବା ଏକ କୁକୁଡ଼ା ଫାର୍ମରେ କୁକୁଡ଼ାମାନେ ମଧ୍ୟ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଅଧିକ ନବଢିବାକୁ କୁକୁଡା ମରାଯାଇଥିବା କୁହାଯାଇଛି । ଏହାବାଦ୍ ଆଉ କେଉଁ କେଉଁ ଜିଲ୍ଲାରେ ପକ୍ଷୀ ମରୁଥିବା ଖବର ମିଳିଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor