ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ମୃତକଙ୍କ ଭିତରେ ଅଛି ୩ ବର୍ଷର ଝିଅ
ହିମାଚଳ ପ୍ରଦେଶ ଉନା ଜିଲା ଟାହଲୀବାଲର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୭ ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ୭ ଜଣ ମୃତକଙ୍କ ମଧ୍ୟରେ ଏକ ୩ ବର୍ଷର ଝିଅ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିସ୍ଫୋରଣର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ଜଣେ ଆହତ ହୋଇଥିବା ମହିଳାଙ୍କ କହିବାନୁଯାୟୀ, ବିସ୍ଫୋରଣ ସମୟରେ କାରଖାନାରେ ପ୍ରାୟ ୩୦ ରୁ ୩୫ ଜଣ କାମ କରୁଥିଲେ। ହଠାତ ବିସ୍ଫୋରଣ ପରେ ଚାରିଆଡେ ନିଆଁ ବ୍ୟାପିବାକୁ ଆରମ୍ଭ ହୋଇଥିଲା।
ଖବର ପାଇ ଦମକଳ ବାହିନୀର ଏକାଧିକ ଗାଡ଼ି ସେଠାରେ ପହଞ୍ଚିଥିଲା। ସେମାନେ ନିଆଁକୁ ଆୟତ୍ତ କରି ଏହା ମଧ୍ୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଲୋକଙ୍କୁ ଉନା ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଛି। ଏବେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଗୋଦାମ ଭିତରୁ ଧୂଆଁ ବାହାରିବାରେ ଲାଗିଛି। ସେହିପରି ଗୋଦାମ ଭିତରେ ଆଉ କେହି ଶ୍ରମିକ ଫସିଛନ୍ତି କି ତା’ର ମଧ୍ୟ ଯାଞ୍ଚ କରାଯାଉଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।
Powered by Froala Editor