ଧାର୍ମିକ ସଭାରେ ଦଳାଚକଟା: ୪୪ ଜଣଙ୍କ ମୃତ୍ୟୁ
![ଧାର୍ମିକ ସଭାରେ ଦଳାଚକଟା: ୪୪ ଜଣଙ୍କ ମୃତ୍ୟୁ](https://odishanewslens.com/news_gallery/1106_1619770531.jpg)
ଇସ୍ରାଏଲରେ ଏକ ଧାର୍ମିକ ସଭା ଚାଲୁଥିବା ବେଳେ ଦଳାଚକଟାରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ଏହି ଅଘଟଣକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୋଟାଏ ବିରାଟ ବିପର୍ଯ୍ୟୟ ବୋଲି କହିଛନ୍ତି।
ସୂଚନାନୁଯାୟୀ, ଇସ୍ରାଏଲରେ ଧାର୍ମିକ ବୋନଫାୟାର ଫେଷ୍ଟିଭାଲ୍ ଚାଲୁଥିଲା। ଦ୍ବିତୀୟ ଶତାବ୍ଦୀର ସନ୍ଥ ରାବ୍ବି ସାଇମନ୍ ବାର୍ ୟୋଚାଇଙ୍କ ସମାଧି ‘ମାଉଣ୍ଟ୍ ମେରୋନ୍’ରେ ହଜାର ହଜାର ଉଗ୍ର-ରକ୍ଷଣଶୀଳ ଇହୁଦୀ ସମବେତ ହୋଇଥିଲେ। ବାର୍ଷିକ ‘ଲାଗ୍ ବି’ଓମେର ପାଳନ ନିମନ୍ତେ ସେଠାରେ ସାରା ରାତି ପ୍ରାର୍ଥନା ଓ ନୃତ୍ୟ ଚାଲିଥିଲା।
ସ୍ବାସ୍ଥ୍ୟ ଅଧିକାରୀମାନେ କୋଭିଡ୍-୧୯ ବିପଦ ସୂଚନା ଜାରି କରିବା ସତ୍ତ୍ବେ ଜନତା ସେଠାରେ ଗହଳି କରିଥିଲେ। ଏତେ ଗହଳି ନକରି ଘଟଣାସ୍ଥଳରୁ ଅପସରି ଯିବା ନମନ୍ତେ ସମବେତ ଜନତାଙ୍କୁ ଜଣେ ଆୟୋଜକ ଡାକବାଜି ଯନ୍ତ୍ରରେ କହିବା ପରେ ଦଳଚକଟା ଆରମ୍ଭ ହୋଇଥିଲା ।
ପୁଲିସ ଘଟଣାସ୍ଥଳରେ ‘ସଟ୍ଡାଉନ୍’ ଘୋଷଣା କରିବା ସହ ସମବେତ ଜନତାଙ୍କୁ ଚାଲିଯିବାକୁ ଆଦେଶ ଦେଇଥିଲା। ମୃତାହତମାନଙ୍କୁ ସେନା ହେଲିକପ୍ଟର୍ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା।
Powered by Froala Editor