ହୃଦ୍ଘାତରେ ଆନ୍ଧ୍ର ଶିଳ୍ପମନ୍ତ୍ରୀ ଗୌତମ ରେଡ୍ଡୀଙ୍କ ଦେହାନ୍ତ
ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କର ହୃଦ୍ଘାତରେ ଦେହାନ୍ତ ହୋଇଯାଇଛି। ହୃଦ୍ଘାତ ହେବା ପରେ ତାଙ୍କୁ ହାଇଦ୍ରାବାଦସ୍ଥିତ ଆେପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିବାକୁ ପୂରା ଚେଷ୍ଟା କରିଥିଲେ। ହେଲେ ସକାଳ ୯.୧୬ରେ ଦେହାନ୍ତ ହୋଇଛି।
ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆଜି ସକାଳେ ଜୁବଲି ହିଲ୍ସ ସ୍ଥିତି ଆପୋଲୋ ହସ୍ପିଟାଲକୁ ଗୌତମ ରେଡ୍ଡୀଙ୍କୁ ଏମର୍ଜେନ୍ସିରେ ଅଣାଯାଇଥିଲା। ସେ ହଠାତ୍ ଘରେ ଟଳି ପଡ଼ିଥିଲେ। ସେ ସକାଳ ୭.୪୫ରେ ଆସିବା ବେଳେ ହିଁ ସେ ହୃଦଘାତର ଶିକାର ହୋଇଥିଲେ ଓ ତାଙ୍କ ନିଃଶ୍ୱାସପ୍ରଶ୍ୱାସ ଚାଲୁ ନଥିଲା। ଡାକ୍ତରୀ ଟିମ୍ ତାଙ୍କ ଜୀବନ ବଞ୍ଚାଇବାକୁ ସବୁ ପ୍ରକାରର ଚେଷ୍ଟା କରିଥିଲା। ହେଲେ ୯.୧୬ରେ ତାଙ୍କର ଦେହାନ୍ତ ହୋଇଛି।”
ଶିଳ୍ପପତି ତଥା ରାଜନେତା ଏବଂ ନେଲ୍ଲୋର୍ର ପୂର୍ବତନ ସାଂସଦ ଏମ୍. ରାଜମୋହନ ରେଡ୍ଡୀଙ୍କ ପୁଅ ଥିଲେ ଗୌତମ । ୧୯୭୧ ନଭେମ୍ବର ୨ ତାରିଖରେ ଜନ୍ମିତ ଗୌତମ ମାଞ୍ଚେଷ୍ଟର୍ ବିଶ୍ବବିଦ୍ୟାଳୟରୁ ସ୍ନାତକତ୍ତୋର ହାସଲ କରିଥିଲେ। ୨୦୧୪ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ‘ୱାଇଏସ୍ଆର୍ସିପି’ର ୫୦ ବର୍ଷିୟ ନେତା ଗୌତମ ନେଲ୍ଲୋର ଜିଲ୍ଲାର ଆତ୍ମକୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିଲେ। ସେ ଶିଳ୍ପ, ବାଣିଜ୍ୟ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।
ଏକ୍ସପୋ ୨୦୨୨ ପାଇଁ ମନ୍ତ୍ରୀ ରେଡ୍ଡୀ ଦୁବାଇ ଯାଇଥିଲେ। ସେଠାରେ ୧୦ ଦିନ ରହିବା ପରେ ରବିବାର ଘରକୁ ଫେରିଥିଲେ। ତାଙ୍କ ଅକାଳ ବିୟୋଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
Powered by Froala Editor