ଆକ୍ରମଣ କଲା ୟୁକ୍ରେନ୍ : ରୁଷ ଯବାନଙ୍କ ସୀମା ସୁବିଧା କେନ୍ଦ୍ର ଧ୍ୱଂସ
ଘନେଇଲା ଯୁଦ୍ଧ ସଙ୍କଟ । ୟୁକ୍ରେନର ଗୁଳି ମାଡ଼ରେ ରୁଷ ଯବାନଙ୍କ ଗୋଟିଏ ସୀମା ସୁବିଧା କେନ୍ଦ୍ର ଧ୍ୱଂସ ହୋଇଯାଇଥିବା ମସ୍କୋ ଦାବି କରିଛି। ଏହି ସୀମା ସୁବିଧା କେନ୍ଦ୍ରକୁ ରୁଷିଆର ଫେଡରାଲ ସିକ୍ୟୁରିଟି ସର୍ଭିସ(ଏଫଏସ୍ବି) ବିଭିନ୍ନ କାମ ପାଇଁ ବ୍ୟବହାର କରୁଥିଲା। ଏଠାରେ ଯବାନଙ୍କ ବିଶ୍ରାମ ସହ ନେଟୱର୍କ ସୁବିଧାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ୟୁକ୍ରେନ ସୀମା ପଟୁ ମାଡ଼ ହୋଇଥିବା ଗୁଳିରେ ଏହା ଧ୍ୱଂସ ହୋଇଯାଇଛି।
ରୁଷି ସମାଚାର ଏଜେନ୍ସି ଅନୁଯାୟୀ, ଫେବୃଆରୀ ୨୧ ସକାଳ ୯ଟା ୫୦ରେ ୟୁକ୍ରେନ ଦ୍ଵାରା ନିକ୍ଷେପ ଏକ ମିସାଇଲରେ ରୁଷ-ୟୁକ୍ରେନ ସୀମାଠୁ ପ୍ରାୟ ୧୫୦ ମିଟର ଦୂରରେ ଏଫଏସବି ସୀମା ସୁରକ୍ଷା ସେବା ଦ୍ଵାରା ବ୍ୟବହୃତ ସୀମା ପୋଷ୍ଟ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତେବେ ରୁଷ ଏହାର ପାଲଟା ଜବାବ ଦେଇଛି ନା ନାହିଁ ତାହା ଜଣା ପଡିନାହିଁ।
ୟୁକ୍ରେନ ୟୁରୋପୀୟ ସଂଘ ଦ୍ଵାରା ରୁଷ ବିରୋଧରେ କଟକଣା ଦାବି କରିଛି। ଯଦ୍ଵାରା ଏହା ଦର୍ଶାଇ ପାରିବ ଯେ, ସେ ଯୁଦ୍ଧ ରୋକିବାକୁ ଗୁରୁତର ଭାବେ ଚିନ୍ତା କରୁଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ରୁଷ ୧୯୪୫ ପରେ ୟୁରୋପରେ ସବୁଠୁ ବଡ ଯୁଦ୍ଧ ଯୋଜନା ପ୍ରସ୍ତୁତ କରୁଛି। ୟୁକ୍ରେନ-ରୁଷ ସଙ୍କଟ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ରୋକିବା ପାଇଁ ଶେଷ ପ୍ରୟାସ ହିସାବରେ ଦେଖାଯାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି ଏବଂ ଖୁବ୍ ଶୀଘ୍ର ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନ ସାକ୍ଷାତ କରି ପାରନ୍ତି।
Powered by Froala Editor