ଅକ୍ସିଜେନ ଅଭାବ, ୧୭ ରୋଗୀ ମୃତ
![ଅକ୍ସିଜେନ ଅଭାବ, ୧୭ ରୋଗୀ ମୃତ](https://odishanewslens.com/news_gallery/1102_1619769714.jpg)
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରାଦାବାଦର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଅକ୍ସିଜେନ ଅଭାବରୁ ୧୭ ଜଣ କରୋନା ରୋଗୀଙ୍କ ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ମାମଲାଟି ମଝୋଲା ଥାନା ଅଞ୍ଚଳରେ ଥିବା ବ୍ରାଇଟ ଷ୍ଟାର ହସ୍ପିଟାଲର । ତେବେ ପ୍ରଶାସନିକ ଅଧିକାରୀମାନେ ମାତ୍ର ୬ ଜଣ ରୋଗୀଙ୍କ ମୃତୁ୍ୟ ହୋଇଥିବା କହିଛନ୍ତି । ରିପୋର୍ଟ ଅନୁସାରେ ବ୍ରାଇଟ ଷ୍ଟାର ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ଚାଲୁଛି । ଭୋର ୩ଟା ସମୟରେ ହସ୍ପିଟାଲରେ ଅଚାନକ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ତା ପରେ ଜଣକ ପରେ ଜଣେ ରୋଗୀଙ୍କର ପ୍ରାଣହାନି ଘଟିଥିଲା । ପରେ ମୃତକଙ୍କ ପରିଜନମାନେ ପହଞ୍ଚିବାରୁ ସେମାନଙ୍କୁ ନିଜ ନିଜ ରୋଗୀଙ୍କର ମୃତୁ୍ୟ ଖବର ଦିଆଯାଇଥିଲା । ଏହା ପରେ ପରିଜନମାନେ ହସ୍ପିଟାଲ ବାହାରେ ହଙ୍ଗାମା କରିଥିଲେ । ଏହି ଅଘଟଣ ଯୋଗୁ ୧୫-୨୦ ଜଣ ରୋଗୀଙ୍କ ପ୍ରାଣହାନି ଘଟିଥିବା ସେମାନେ ଦର୍ଶାଇଥିଲେ । ହଙ୍ଗାମାର ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସଦର ଏସଡିଏମ ପ୍ରଶାନ୍ତ ତିୱାରୀଙ୍କ ଅନୁସାରେ ହସ୍ପିଟାଲରେ ପର୍ଯ୍ୟାପ୍ତ ଅକ୍ସିଜେନ ମହଜୁଦ ଅଛି । ତେବେ କେଉଁ କାରଣରୁ ରୋଗୀଙ୍କର ମୃତୁ୍ୟ ହେଲା ଏକ ଟିମ ତା’ର ତଦନ୍ତ କରିବ । ଇତି ମଧ୍ୟରେ ଲକ୍ଷ୍ନୌ ସ୍ଥିତ ରାଜଧାନୀ କରୋନା ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ କମଳ କିଶୋର ନାମଧାରୀ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଛନ୍ତି ।
Powered by Froala Editor