ବିଧାନସଭାରେ ଚପଲ ଫୋପାଡିବା ଘଟଣାରେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ

ଶନିବାର ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲୋକାୟୁକ୍ତ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ହୋ-ହାଲ୍ଲା ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ଉପରକୁ ଚପଲ ଫୋପାଡିଥିଲେ ବିରୋଧୀ ସଦସ୍ୟ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଧାୟକମାନେ ଦାବି କରିଥିଲେ । ବିଧାୟକମାନଙ୍କ ଦାବିକୁ ଅନୁଶୀଳନ କରିବା ପରେ ବାଚସ୍ପତି ଗୃହର ଭିଡ଼ିଓ କ୍ଲିପ ମଗାଇ ଦେଖିଥିଲେ । ପରେ ଶାସକ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ଏକ ମୋସନ ଆଣିବା ସହ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଓ ବିରୋଧୀ ଦଳ ମୁଖ୍ୟ ସଚେଚକ ମୋହନ ମାଝୀଙ୍କୁ ନିଲମ୍ବିତ କରିବା ପାଇଁ କହିଥିଲେ । ଏନେଇ ବାଚସ୍ପତି ଗୃହରେ ଭୋଟିଂ ଗ୍ରହଣ କରିବା ସହ ତିନି ଜଣଙ୍କୁ ସସପେଣ୍ଡ କରିଥିଲେ । ଫଳରେ ଚଳିତ ଅଧିବେଶନରେ ଏହି ୩ ବିଧାୟକ ଗୃହକୁ ଆସିପାରିବେ ନାହିଁ । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଥିଲେ ଜୟନାରାୟଣ ମିଶ୍ର , ବିଷ୍ଣୁ ସେଠୀ ଓ ମୋହନ ମାଝୀ। ବିଧାନସଭାରେ ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏହି ଘଟଣା ଘଟିଥିଲା ।ବିଧାୟକ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ସସପେଣ୍ଡ୍ କରିଛନ୍ତି ବାଚସ୍ପତି । ଏହି ଅଧିବେଶନ ପାଇଁ ୩ ବିଧାୟକ ସସପେଣ୍ଡ୍ ହୋଇଛନ୍ତି ।