ଟିଏମସି ବରିଷ୍ଠ ନେତା ସାଧନ ପାଣ୍ତେଙ୍କ ଦେହାନ୍ତ, ଫୁସଫୁସ ସଂକ୍ରମଣ ଯୋଗୁ ଗୁରୁତର ହୋଇଥିଲେ

ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ ତଥା ଟିଏମସିର ବରିଷ୍ଠ ନେତା ସାଧନ ପାଣ୍ତେଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନ ହେଲେ ଫୁସଫୁସ ଜନିତ ସମସ୍ୟା ଯୋଗୁ ସେ ମୁମ୍ବାଇର ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସେହିଠାରେ ଶ୍ରୀ ପାଣ୍ଡେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସି ନେତାଙ୍କ ବିୟୋଗରେ ସମବେଦନା ଜଣାଇଛନ୍ତି। ସେ ଟ୍ଵିିଟ୍ କରି କହିଛନ୍ତି, ଆମର ବରିଷ୍ଠ ସହକର୍ମୀ, ଦଳର ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ସାଧନ ପାଣ୍ଡେଙ୍କର ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ଦୀର୍ଘ ସମୟ ଧରି ତାଙ୍କ ସହ ମୋର ଅତ୍ୟନ୍ତ ସୁସଂପର୍କ ଥିଲା। ଏହି କ୍ଷତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଛି। ତାଙ୍କ ପରିବାର, ବନ୍ଧୁ, ଅନୁଗାମୀମାନଙ୍କ ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି।
୭୧ ବର୍ଷୀୟ ଏହି ଭେଟରାନ ଟିଏମସି ନେତା ଜଣଙ୍କ ଗୁରୁତର ଫୁସଫୁସ ସଂକ୍ରମଣ ଯୋଗୁ ଗତବର୍ଷ କୋଲକାତାର ଗୋଟିଏ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା। ମୁମ୍ବାଇ ଆସିବା ପରେ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ସେଠାରେ ସେ ଭେଣ୍ଟିଲେଟର ସହାୟତାରେ ରହିଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଯାଇଥିଲା।
Powered by Froala Editor