ଭୁଲିଗଲେ ମାନବିକତା, ଘୋଡା ଉପରେ ବାଇକ୍ ଥୋଇ ନାଚିଲେ

ବାହାଘର ନାଚଗୀତରେ ଏତେ ମସଗୁଲ ହୋଇଗଲେ ଯେ, ଭୁଲିଗଲେ ମାନବିକତା । ନିରୀହ ଘୋଡା ଉପରେ ବାଇକ୍ ଥୋଇ ନାଚିଲେ । ଯେ କେହି ବି ଏହି ଦୃଶ୍ୟ ଦେଖୁଥିଲେ ସେମାନେ ବି ଚୁପ ରହିଲେ । ତେବେ ଏହାର ଭିଡିଓ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଇ-ମେଲରେ ଏହି ଭିଡିଓକୁ ପୁଲିସକୁ ପଠାଇବା ପରେ ନୃତ୍ୟରତ ଯୁବକ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ।
ସୂଚନା ଅନୁସାରେ, ଏହି ଘଟଣା ରାଜସ୍ଥାନ ଉଦୟପୁର ଅନ୍ତର୍ଗତ ମାଓ୍ଵଲି ନାମକ ସ୍ଥାନରେ ଘଟିଛି। ଏକ ବାହାଘର ଉତ୍ସବରେ ଘୋଡାକୁ ତଳେ ଲେଉଟାଇ ତା ଉପରେ ମୋଟରସାଇକେଲ ରଖି, ମୋଟରସାଇକେଲ ଉପରେ ଜଣେ ଯୁବକ ନାଚୁଥିଲେ। ଯୁବକ ଘୋଡା ଉପରେ ମଟର ସାଇକେଲ ରଖି ନାଚୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ନିରବଦ୍ରଷ୍ଟା ସାଜିଥିଲେ। ଭିଡିଓ ସାମନାକୁ ଆସିବା ପରେ ପଶୁ କ୍ରୁରତା ନିବାରଣ ଅଧିକାରୀ ଦୀନଦୟାଲ ଗୋରା ମାଓ୍ଵଲି ଥାନା ଅଧିକାରୀଙ୍କୁ ଏହା ବିଷୟରେ ସୂଚନା ଦେଇ ମାମଲା ରୁଜୁ କରିଥିଲେ। ଦୀନଦୟାଲ ଗୋରାଙ୍କ ଠାରୁ ଇ-ମେଲ୍ ଦ୍ଵାରା ଭିଡିଓ ସହ ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ୧୪ ଫେବ୍ରୁଆରିରେ ୩ ଜଣଙ୍କୁ ଗିରଫ କରିଥିଲା। ଏହି ୩ ଜଣ ଅଭିଯୁକ୍ତଙ୍କ ନାମ ମୋହନଦାନ(୬୦), କାଲୁରାମ୍(୪୦) ଓ ଚେତନ୍ ସରଗରା(୧୯)। ଏହି ଅମାନବୀୟ ଦୃଶ୍ୟର ଭିଡିଓ ସାମନାକୁ ଆସିବା ପରେ ଲୋକେ ଏଥିରେ ସମ୍ପୃକ୍ତ ଥିବା ଯୁବକଙ୍କୁ ଭତ୍ସନା କରୁଛନ୍ତି।
Powered by Froala Editor