ବେଙ୍ଗଲୀ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ପରଲୋକ, ପଦ୍ମଶ୍ରୀ ପୁରସ୍କାରକୁ ମନା କରି ଚର୍ଚ୍ଚାକୁ ଆସିଥିଲେ
ପ୍ରତିଷ୍ଠିତ ବେଙ୍ଗଲୀ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ହଠାତ୍ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ଯାଇଥିଲା। ଡାକ୍ତରୀ ଟିମ୍ ତାଙ୍କ ଜୀବନ ବଞ୍ଚାଇବାକୁ ସବୁ ପ୍ରକାରର ଉଦ୍ୟମ କରିଥିଲେ ମଧ୍ୟ ସନ୍ଧ୍ୟା ମୁଖାର୍ଜୀଙ୍କୁ ରକ୍ଷା କରି ପାରି ନଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। । ତାଙ୍କ ବିୟୋଗରେ ଆଜି ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ବଙ୍ଗ ବିଭୂଷଣରେ ସମ୍ମାନିତ ଏବଂ ସର୍ବଶ୍ରେଷ୍ଠ ପାର୍ଶ୍ୱ ଗାୟିକା ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମ୍ମାନିତ ହୋଇଛନ୍ତି ସନ୍ଧ୍ୟା ମୁଖାର୍ଜୀ । ନିକଟରେ ସନ୍ଧ୍ୟା ମୁଖାର୍ଜୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରି ଚର୍ଚ୍ଚାକୁ ଆସିଥିଲେ । ପରିଣତ ବୟସରେ ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯିବା ଘଟଣାରେ ସେ ଅପମାନିତ ଅନୁଭବ କରୁଥିବା ମଧ୍ୟ କହିଥିଲେ।
ସନ୍ଧ୍ୟା ମୁଖାର୍ଜୀ ବେଙ୍ଗଲୀ ଭାଷାରେ ପ୍ରାୟ ହଜାରେରୁ ଅଧିକ ଗୀତ ଗାଇଛନ୍ତି। ୬୦ ଓ ୭୦ ଦଶକରେ ତାଙ୍କ ଗୀତ ବେଶ ଚର୍ଚ୍ଚାରେ ରହିଥିଲା। ଏହାବାଦ ଅନ୍ୟ ୧୨ଟି ଭାଷାରେ ମଧ୍ୟ ସେ କଣ୍ଠଦାନ କରିଥିଲେ। ଲିଜେଣ୍ଡାରୀ କଣ୍ଠଶିଳ୍ପୀ ହେମନ୍ତ ମୁଖାର୍ଜୀଙ୍କ ସହ ତାଙ୍କର ଯୁଗଳବନ୍ଦୀ ସମସ୍ତଙ୍କୁ ପସନ୍ଦ ଆସୁଥିଲା।
Powered by Froala Editor