ଯୁଦ୍ଧ ସଙ୍କଟ : ୟୁକ୍ରେନରୁ ଭାରତୀୟଙ୍କୁ ଫେରିଯିବାକୁ ନିର୍ଦ୍ଦେଶ

ଋଷର ୟୁକ୍ରେନ ଉପରେ ଆକ୍ରମଣର ଆଶଙ୍କା ଯୋଗୁଁ ସେଠାରେ ଥିବା ଭାରତୀୟ ଦୂତାବାସ ଭାରତୀୟଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି। ବିଶେଷ କରି ଛାତ୍ର-ଛାତ୍ରୀଙ୍କୁ ଅସ୍ଥାୟୀ ଭାବେ ସ୍ଵଦେଶ ଫେରିଯିବାକୁ ଦୂତାବାସ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଛି। ବିଶେଷତଃ ଯେଉଁମାନଙ୍କର ରହିବା ଜରୁରୀ ନୁହେଁ, ସେମାନେ ଭାରତକୁ ଫେରିଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଯଦି କେହି ୟୁକ୍ରେନରେ ରହିଯାଉଛନ୍ତି ତେବେ ସେମାନଙ୍କୁ ଦୂତାବାସ ସହିତ ଯୋଗାଯୋଗରେ କରିବାକୁ ମଧ୍ୟ କୁହାଯାଇଛି। ଜରୁରୀ ନଥିଲେ ଭାରତୀୟମାନେ ୟୁକ୍ରେନକୁ ନଆସିବାକୁ ଏବଂ ୟୁକ୍ରେନ ମଧ୍ୟରେ ଯାତ୍ରା କରିବାକୁ ଭାରତୀୟ ଦୂତାବାସ ବାରଣ କରିଛି।
ଦୂତାବାସ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ୟୁକ୍ରେନରେ କାର୍ଯ୍ୟାଳୟ ସ୍ଵାଭାବିକ ଭାବେ ଜାରି ରହିଛି। ଭାରତ ପୂର୍ବରୁ ଆମେରିକା, ବ୍ରିଟେନ୍ ସମେତ ଅନେକ ଦେଶ ନିଜ ନାଗରିକଙ୍କୁ ୟୁକ୍ରେନ ନଯିବାକୁ ପରାମର୍ଶ ଦେଇ ସାରିଛନ୍ତି। ଏପରିକି ଆଉ କିଛି ଦେଶ ନିଜ ଦୂତାବାସରୁ ଅଣ ଜରୁରୀ କର୍ମଚାରୀଙ୍କୁ ସ୍ଵଦେଶ ଫେରାଇବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।
ୟୁକ୍ରେନରେ ବର୍ତ୍ତମାନ ଯୁଦ୍ଧ ସଙ୍କଟ ଦେଖା ଦେଇଛି। ରୁଷ ୟୁକ୍ରେନ ସୀମାରେ ଘାତକ ଯୁଦ୍ଧାସ୍ତ୍ର ସହ ଏକ ଲକ୍ଷରୁ ଅଧିକ ସୈନିକ ଠୁଳ କରି ସାରିଛି। କୌଣସି ମୂହୁର୍ତ୍ତରେ ଋଷ ଆକ୍ରମଣ କରିବାର ଆଶଙ୍କା ଥିବାରୁ ରହୁଥିବା ଠିକଣା ଦେବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି ଦୂତାବାସ। ଏଭଳି ହେଲେ ଦରକାର ସମୟରେ ଦୂତାବାସ ଠିକଣାରେ ପହଞ୍ଚି ଭାରତୀୟଙ୍କୁ ସାହାଯ୍ୟ କରିପାରିବ।
Powered by Froala Editor