ଆଜି ୪ ଘଣ୍ଟା ଶ୍ରୀମନ୍ଦିର ବନ୍ଦ, ଜାଣନ୍ତୁ କାହିଁକି
ପୁରୀ: ଆଜି ମାଘ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରନôବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ ।
ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଛି । ଏହା ଏକ ଗୁପ୍ତ ସେବା ଏବଂ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ ।
ସୂଚନାଯୋଗ୍ୟ, କରୋନାର ତୃତୀୟ ଲହର ପାଇଁ ଜାନୁଆରୀ ୧୦ରୁ ବନ୍ଦ ରହିଥିଲା ଶ୍ରୀମନ୍ଦିର । କରୋନା ତଳମୁହାଁ ହେବା ପରେ ପ୍ରାୟ ୩ ସପ୍ତାହ ପରେ ଗତ ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିଛି ବଡ ଦେଉଳ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି । ସକାଳ ୬ଟାରୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ରାତି ୯ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହୁଛି ଶ୍ରୀମନ୍ଦିର ।
Powered by Froala Editor