୧୨ରୁ ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ, ଗାଇଡଲାଇନ ଜାରି
ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱରରେ କୋଭିଡ ଗାଇଡଲାଇନ ଅନୁସାରେ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଶ୍ରୀଲିଙ୍ଗରାଜ ସମେତ ଭୁବନେଶ୍ୱରରେ ଥିବା ଅନ୍ୟ ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିବ। ଧର୍ମାନୁଷ୍ଠାନ ଗୁଡ଼ିକରେ କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବାକୁ ହେବ। ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଡବଲ ଡୋଜ୍ ଭ୍ୟାକ୍ସିନ ନେଇଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ । ମନ୍ଦିରର ଗର୍ଭଗୃହକୁ ପ୍ରବେଶ ପାଇଁ ବାରଣ ହୋଇଛି । ସେହିପରି ଭଗବାନଙ୍କ ପାଖରେ ଭୋଗ ମଧ୍ୟ ଲଗାଇପାରିବେ ନାହିଁ । ପରିଚୟ ପତ୍ର ଦେଖାଇ ୧୫ ବର୍ଷରୁ କମ୍ ବୟସର ଶିଶୁ ମନ୍ଦିର ପ୍ରବେଶ କରିପାରିବେ । ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସିଂହଦ୍ୱାର ଠାରୁ ଆଡ କାଠ ପର୍ଯ୍ୟନ୍ତ ଏକକାଳୀନ ସର୍ବାଧିକ ୧୦୦ ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ। ସାହାଣମେଳା ଓ ଗର୍ଭଗୃହ ଦର୍ଶନକୁ ବାରଣ କରାଯାଇଛି।
ଆଦେଶନାମାରେ କୁହାଯାଇଛି ଯେ, ଧର୍ମାନୁଷ୍ଠାନକୁ ଯିବାକୁ ଚାହୁଁଥିବା ଶ୍ରଦ୍ଧାଳୁମାନେ ଫଟୋ ପରିଚୟପତ୍ର (ଆଧାରକାର୍ଡ, ମତଦାନ ପରିଚୟ ପତ୍ର) ନେଇଯିବେ। ସାମାଜିକ ଦୂରତା ରକ୍ଷା କରି ଦର୍ଶନ ବ୍ୟବସ୍ଥା କରାଯିବ। ସେହିପରି ବୃଦ୍ଧ ଓ ଗର୍ଭବତୀଙ୍କୁ ମନ୍ଦିର ନଯିବାକୁ ପରାମର୍ଶ ଦିଆଯାଇଛି । ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।
Powered by Froala Editor