ଗଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ : ୧୫ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଅନୁମତି ନାହିଁ

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ପୁଲିସ୍ ଗାଇଡଲାଇନ ଜାରି କରିଛି । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଛି। ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ହିଁ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିବ। ୧୫ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଉତ୍ସବସ୍ଥଳୀକୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ଅଛି।
ଜାନୁଆରୀ ୨୬ରେ ରାଜପଥରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବାକୁ ଥିବା ଲୋକମାନେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ ବୋଲି ଗାଇଡଲାଇନରେ କଡ଼ାକଡ଼ି ଭାବେ କୁହାଯାଇଛି।
ଦିଲ୍ଲୀ ପୁଲିସ୍ କହିଛି ଯେ “ଆଣ୍ଟି କରୋନା ଭାଇରସ ଭ୍ୟାକସିନର ଉଭୟ ଡୋଜ୍ ନେବା ଜରୁରୀ। ଗଣତନ୍ତ୍ର ଦିବସକୁ ଆସୁଥିବା ଅତିଥିମାନେ ଦୟା କରି ନିଜ ସହ ଆସିବା ବେଳେ ଟିକାକରଣ ପ୍ରମାଣପତ୍ର ଆଣିବେ। ୧୫ ବର୍ଷରୁ କମ ବୟସ୍କ ପିଲାମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁମତି ମିଳିବ ନାହିଁ।”
ସକାଳ ୭ଟାରୁ ଦର୍ଶକମାନଙ୍କ ପାଇଁ ସିଟିଙ୍ଗ୍ ବ୍ଲକ୍ ଖୋଲିଯିବ ଏବଂ ସେହି ଅନୁସାରେ ଆସି ପହଞ୍ଚିବାକୁ ମଧ୍ୟ ଦିଲ୍ଲୀ ପୁଲିସ ସେମାନଙ୍କୁ ଅନୁରୋଧ କରିଛି। ପାର୍କିଙ୍ଗ୍ ବ୍ୟବସ୍ଥା ସୀମିତ ଥିବାରୁ ଦର୍ଶକମାନଙ୍କୁ କାର୍ପୁଲ୍ ଅଥବା ଟ୍ୟାକ୍ସି ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ପାର୍କିଙ୍ଗ୍ ଅଞ୍ଚଳରେ ‘ରିମୋଟ୍-କଣ୍ଟ୍ରୋଲ୍ଡ୍ କାର୍ ଲକ୍ କି’ ଡିପୋଜିଟ୍ କରିବା ବ୍ୟବସ୍ଥା କରାଯାଇଛି। ଦର୍ଶମାନେ ସାଥିରେ ବୈଧ୍ୟ ପରିଚୟ ପତ୍ର ଧରି ଆସିବା ସହ ସୁରକ୍ଷା ଯାଞ୍ଚ ବେଳେ ସହଯୋଗ କରିବାକୁ ପୁଲିସ ଅନୁରୋଧ କରିଛି।
Powered by Froala Editor