ମୁହାଁମୁହିଁ ହୋଇଥାନ୍ତା ଧକ୍କା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଦୁଇ ବିମାନ

ବେଙ୍ଗାଲୁରୁ ଏୟାରପୋର୍ଟରେ ବଡ ବିମାନ ଦୁର୍ଘଟଣା ହେଉ ହେଉ ଟଳିଯାଇଛି । ଘଟଣାଟି ଜାନୁଆରି ୭ ତାରିଖରେ ବେଙ୍ଗାଲୁରୁର କାମ୍ପାଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଘଟିଥିବା ସୂଚନା ରହିଛି । ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଭୁବନେଶ୍ବର ଆସୁଥିଲା ଓ ଅନ୍ୟଟି କୋଲକାତା ଯାଉଥିଲା । ଉଭୟଙ୍କ ଟେକଅପ୍ ସମୟ ମଧ୍ୟରେ ୫ ମିନିଟ୍ର ବ୍ୟବଧାନ ଥିଲା। ତେବେ ଉଭୟ ଏକା ସମୟରେ ଗୋଟିଏ ଆକାଶପଥରେ ପରସ୍ପର ଆଡ଼କୁ ଚାଲି ଆସିଥିଲେ। ଫଳରେ ମୁହାଁମୁହିଁ ଧକ୍କା ହେବାର ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଠିକଣା ସମୟରେ ରାଡାର ନିୟନ୍ତ୍ରକ ଏକ ଡାଇଭର୍ସିଂ ହେଡିଙ୍ଗ୍ ଦେଇଥିଲା। ଏଥିଯୋଗୁ ଉଭୟ ବିମାନ ପରସ୍ପରକୁ ଧକ୍କା ହେବାରୁ ବର୍ତ୍ତି ଯାଇଥିଲେ। ଭଉୟ ବିମାନରେ ୪୨୬ ଜଣ ଲୋକ ଥିଲେ।
ମିଳିଥିବା ରିପୋର୍ଟ ଅନୁସାରେ ଏୟାରପୋର୍ଟର ଉତ୍ତର ଓ ଦକ୍ଷିଣ ରନଓ୍ବେକୁ ଏକକାଳୀନ ବିମାନ ଡିପାର୍ଚର ପାଇଁ ବ୍ୟବହାର କରାଯାଏ ନାହିଁ । କାରଣ ଏପରି ହେଲେ ଦୁଇଟି ବିମାନ ଆକାଶରେ ଧକ୍କା ହେବାର ଆଶଙ୍କା ରହିଥାଏ । ସାଧାରଣତଃ, ଉତ୍ତର ରନଓ୍ବେକୁ ଡିପାର୍ଚର ( ବିମାନ ଉଡ଼ାଣ ଆରମ୍ଭ କରିବା) ପାଇଁ ଓ ଦକ୍ଷିଣ ରନଓ୍ବେକୁ ଆରାଇଭାଲ ( ବିମାନ ଓହ୍ଲାଇବା ) ପାଇଁ ବ୍ୟବହାର କରାଯାଏ । କିନ୍ତୁ ୭ ତାରିଖରେ ଭୁବନେଶ୍ବର ଅଭିମୁଖୀ ଇଣ୍ଡିଗୋ ୬ଇ୨୪୬ ଓ କୋଲକାତା ଅଭିମୁଖୀ ଇଣ୍ଡିଗୋ ୬ଇ୪୫୫ ବିମାନକୁ ଉଭୟ ରନଓ୍ବେରେ ଡିପାର୍ଚର ପାଇଁ ଅନୁମତି ଦିଆଯାଇଥିଲା । ଫଳରେ ଦୁଇଟି ଯାକ ବିମାନ ରନୱେରୁ ଉଡାଣ ଲାଗି ବାହାରି ଯାଇଥିଲେ। ଏହି ସମୟରେ ରାଡାର କଣ୍ଟ୍ରୋଲର ଏହା ଦେଖିପାରିଥିଲେ ଓ ସଙ୍ଗେସଙ୍ଗେ ଏ ସଂପର୍କରେ ବିମାନର ପାଇଲଟଙ୍କୁ ଜଣାଇ ଦିଆଯାଇଥିଲା। ଏହପରେ ମଝିଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହେବାରୁ ବଞ୍ଚିଯାଇଥିଲେ।
ବଡ଼ କଥା ହେଲା କୌଣସି ଲଗବୁକରେ ଘଟଣାକୁ ରେକର୍ଡ କରାଯାଇନି। ସେହିପରି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ(ଏଏଆଇ) ମଧ୍ୟ ଏହାର ତଥ୍ୟ ରଖିନି। କିନ୍ତୁ ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି ଯେ “ସଂସ୍ଥା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
Powered by Froala Editor