ଆପୋଲୋରେ ଡାକ୍ତର ଓ ନର୍ସଙ୍କୁ ନିସ୍ତୁକ ପିଟିଲେ ରୋଗୀଙ୍କ ସମ୍ପର୍କୀୟ
ଦିଲ୍ଲୀର ସରିତା ବିହାରରେ ଥିବା ଆପୋଲୋ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକେ ଡାକ୍ତର ଓ ନର୍ସମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ସେହିପରି ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଡାକ୍ତର ଓ ନର୍ସମାନଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡିଓ ଏବେ ଭାଇରାଲ ହୋଇଛି। କରୋନା ଆକ୍ରାନ୍ତଙ୍କୁ ଆଇସିୟୁ ବେଡ ନମିଳିବାରୁୁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ରାଗରେ ମୃତକଙ୍କ ପରିବାର ଲୋକେ ଏଭଳି କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳେ ଜଣେ ୬୨ ବର୍ଷୀୟ କରୋନା ଆକ୍ରାନ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଆପୋଲୋ ହସ୍ପିଟାଲ ଆଣିଥିଲେ। ହେଲେ ହସ୍ପିଟାଲରେ ଆଇସିୟୁ ବେଡ୍ ଖାଲି ନଥିବାରୁ ମହିଳାଙ୍କୁ ଜରୁରୀ କାଳୀନ ୱାର୍ଡରେ ଅପେକ୍ଷା କରିବାକୁ ପଡ଼ିଥିଲା।
ବହୁତ ସମୟ ଅପେକ୍ଷା କରିବା ପରେ ମହିଳାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ସକାଳ ପ୍ରାୟ ୯ଟା ବେଳେ ଏହାକୁ ନେଇ ପରିବାର ଲୋକଙ୍କ ରାଗ ପଞ୍ଚମରେ ପହଞ୍ଚି ଯାଇଥିଲା। ସେମାନେ ହସ୍ପିଟାଲର ଡାକ୍ତର ଓ ନର୍ସଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ହସ୍ପିଟାଲ ବାହାରେ ମଧ୍ୟ ମହିଳାଙ୍କ ପରିବାର ଲୋକ ଡାକ୍ତରମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାଠଫାଳିଆରେ ପିଟୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଆପୋଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି, ମଙ୍ଗଳବାର ସକାଳେ ମହିଳା ଜଣଙ୍କ ପହଞ୍ଚିବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କର ଯାଞ୍ଚ କରାଯାଇଥିଲା। ତେବେ ହସ୍ପିଟାଲରେ ବେଡ୍ ନଥିବାରୁ ପରିବାର ଲୋକଙ୍କୁ ରୋଗୀଙ୍କୁ ଅନ୍ୟତ୍ର ନେଇଯିବାକୁ ପରାମର୍ଶ ଦିଆଯାଇଥିଲା। ସକାଳ ପ୍ରାୟ ୮ଟା ବେଳେ ଦୁର୍ଭାଗ୍ୟବଶତଃ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମହିଳାଙ୍କ ପରିବାର ଲୋକ ହସ୍ପିଟାଲରେ ଭଙ୍ଗାରୁଜା କରିବା ସହ ଆମ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଶେଷରେ ପୁଲିସ୍ ଫୋର୍ସ ଓ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କ ସହାୟତାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।” ଏହି ଘଟଣାକୁ ନେଇ ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପି କହିଛନ୍ତି ଯେ ଡାକ୍ତରଖାନା କିମ୍ବା ରୋଗୀଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ପୁଲିସ ପାଖକୁ କୌଣସି ଅଭିଯୋଗ ଆସିନାହିଁ।
Powered by Froala Editor