ଟାଇଗର୍-୩ରେ ଏକାଠି ନଜର ଆସିବେ ସଲମାନ୍-ଶାହରୁଖ

ମୁମ୍ବାଇ: ଦୀର୍ଘ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଭାଇଜାନ୍-କିଙ୍ଗଖାନ୍ । ସଲୁ ଭାଇ ଓ ଶାହରୁଖ୍ଙ୍କ ଯୋଡ଼ି ଦେଖିବାକୁ ମିଳିବ ଫିଲ୍ମ ଟାଇଗର୍-୩ରେ । ଏହି ଖବର ପାଇବା ପରେ ଦର୍ଶକଙ୍କ ଭିତରେ ବଢ଼ି ଯାଇଛି ଉତ୍ସାହ । ଅପେକ୍ଷା କେବଳ ଚଳଚ୍ଚିତ୍ର କେବେ ପରଦାକୁ ଆସିବ । ଏଥିପାଇଁ ଉତ୍କଣ୍ଠାର ସହ ଫ୍ୟାନ୍ମାନେ ଅନେଇ ବସିଛନ୍ତି । ୧୯୯୫ରେ ମୁକ୍ତିଲାଭ କରିଥିବା ସଲମାନ୍-ଶାହରୁଖଙ୍କ ସିନେମା କରନ୍ ଅର୍ଜୁନ୍ ଭଳି ଟାଇଗର-୩ରେ ମଧ୍ୟ ସେମିତି କିଛି ଉପଭୋଗ୍ୟ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।
ଡ୍ରଗସ୍ କାରବାର ମାମଲାରେ ଛନ୍ଦି ହେଇଥିବା ଆର୍ଯ୍ୟାନ୍ ପାଇଁ ମନସ୍ତାପରେ ଥିଲେ ଶାହରୁଖ । ଏବେ କିନ୍ତୁ ପୁଅ ଜାମିନରେ ଆସିବା ପରେ ଶାହାରୁଖ ସୁଟିଂ ମଇଦାନକୁ ପାଦ ବଢ଼େଇଛନ୍ତି । ୟଶରାଜ୍ ଷ୍ଟୁଡିଓ ବ୍ୟାନରରେ ନିର୍ମାଣ ହେଉଥିବା ଟାଇଗର-୩ ଚଳଚ୍ଚିତ୍ରରେ ଜଣେ ଅତିଥି କଳାକାର ଭାବେ ଶାହାରୁଖଙ୍କୁ ଦେଖିବାକୁ ମିଳିବ ।
ଏହାପରେ ଶାହାରୁଖ ତାଙ୍କ ବିଗ୍ ବଜେଟର ସିନେମା ପଠାନ୍ର ଆଉ କିଛି ଦୃଶ୍ୟର ସୁଟିଂ ପାଇଁ ସ୍ପେନ୍କୁ ଯିବେ । ପଠାନ୍ରେ ତାଙ୍କ ବିପକ୍ଷରେ ନାୟିକା ଅଛନ୍ତି ଦୀପିକା ପାଦୁକୋନ୍ । ସୁପର ମଡେଲ୍ ତଥା ଜଣାଶୁଣା ଅଭିନେତା ଜନ୍ ଆବ୍ରାହମ୍ ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି । ଆର୍ଯ୍ୟାନ୍ଙ୍କୁ ଏନ୍ସିବି ଗିରଫ କରିବା ପରେ ଶାହରୁଖ ସୁଟିଂ ବନ୍ଦ କରିଥିଲେ । ଏବେ ପୁଣି ସେ ଫେରିବେ ବୋଲି ଘୋଷଣା କରିଛନ୍ତି ।
Powered by Froala Editor