ଡରାଉଛି ଓମିକ୍ରନ: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩
ନୂଆଦିଲ୍ଲୀ : ଦେଶରେ ‘ଓମିକ୍ରନ’ ପ୍ରଜାତି ଖୁବ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଏହା ୧୧ଟି ରାଜ୍ୟକୁ ବ୍ୟାପିଲାଣି ଏବଂ ଆଜି ସୁଦ୍ଧା ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲାରେ ସଂକ୍ରମଣ ବଢ଼ିବା ବିପଦ ଅଧିକ ରହିଛି । ଦେଶରେ ତୃତୀୟ ଲହର ଆରମ୍ଭ ହେବା ଆଶଙ୍କା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପୁଣି ନୂଆ ନିଦେ୍ର୍ଧଶାବଳି ଜାରି କରିଛନ୍ତି । ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି, ବ୍ରିଟେନରେ ଯେଉଁଭଳି ସଂକ୍ରମଣ ବଢ଼ୁଛି ଯଦି ସେଭଳି ଭାବେ ଭାରତରେ ସଂକ୍ରମଣ ବଢେ଼ ତେବେ ଭାରତର ଜନସଂଖ୍ୟା ଅନୁଯାୟୀ ଭାରତ ଦିନକୁ ୧୪ ଲକ୍ଷ ସଂକ୍ରମଣ ଦେଖିବ ।
୮୦ ପ୍ରତିଶତ ଆଂଶିକ ଟିକାକରଣ ସତ୍ତ୍ୱେ ୟୁରୋପ ଅତି ଗୁରୁତର ପର୍ଯ୍ୟାୟ ଦେଇ ଗତି କରୁଛି । ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ନୂଆ ନିଦେ୍ର୍ଧଶାବଳି ଜାରି ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଗତ ୨୦ ଦିନ ଧରି ଦେଶରେ ସଂକ୍ରମଣ ୧୦ ହଜାର ତଳେ ରହିଛି । ଓମିକ୍ରନ ପ୍ରଜାତି ପାଇଁ ଅନ୍ୟ ରାଷ୍ଟ୍ରରେ ସଂକ୍ରମଣ ବଢ଼ୁଛି । ତେଣୁ ଆମକୁ ଏ ଦିଗରେ ସତର୍କ ହେବାକୁ ପଡ଼ିବ । ଆବଶ୍ୟକ ନଥିଲେ ଯାତ୍ରା ନକରିବା ପାଇଁ ଏବଂ ଭିଡ଼ ସ୍ଥାନକୁ ନଯିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । କେବଳ ଟିକା ଏଭଳି ସଙ୍କଟରୁ ଦେଶକୁ ମୁକ୍ତ କରିବ ନାହିଁ ।
ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଏବଂ ହାତ ବାରମ୍ବାର ଧୋଇବା ଏବଂ ଅନ୍ୟ କଟକଣା ପାଳନ କରିବାପାଇଁ ମନ୍ତ୍ରାଳୟ କହିଛି । ଦେଶର ୧୯ଟି ଜିଲ୍ଲାରେ ସାପ୍ତାହିକ କୋଭିଡ ପଜିଟିଭ ହାର ୫-୧୦ ପ୍ରତିଶତ ରହିଛି । ଅନ୍ୟପକ୍ଷେ ୫ ଟି ଜିଲ୍ଲାରେ ସାପ୍ତାହିକ କୋଭିଡ ପଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଛି ।
Powered by Froala Editor