ଖେରୀ ହିଂସା ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଷଡଯନ୍ତ୍ର : ଏସଆଇଟି
ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣାକୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଏକ ପୂର୍ବ ଯୋଜନାବଦ୍ଧ ଷଡଯନ୍ତ୍ର କହିଛି । ଏହା ଏକ ଦୁର୍ଘଟଣା କିମ୍ବା ବେପରୁଆ ଗାଡ଼ି ମାଡ଼ି ଯିବା ଭଳି ଘଟଣା ନୁହେଁ। ଯୋଜନା ମୁତାବକ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏସ୍ଆଇଟି) କହିଛି। ଏହି ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଏକାଧିକ ଆହତ ହୋଇଥିଲେ। ଏ ପରିସ୍ଥିତିରେ ଏସଆଇଟିର ଏ ବୟାନ ଏବେ କେନ୍ଦ୍ର ସରକାରଙ୍କୁ ନେଇ କାଠଗଡ଼ାରେ ଛିଡ଼ା କରାଇ ଦେଇଛି।
ଏଥିସହ ଏସଆଇଟି ଘଟଣାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫାକୁ ବଦଳାଇବାକୁ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ(ଜେଏମସି)ଙ୍କ ନିକଟରେ ଆବେଦନ କରିଛି।
ଏସ୍ଆଇଟିର ତଦନ୍ତକାରୀ ଅଧିକାରୀ ବିଦ୍ୟାରାମ ଦିବାକର ଗତ ସପ୍ତାହରେ ଜେଏମସି କୋର୍ଟରେ ନିଜର ଆବେଦନ ପତ୍ର ଦାଖଲ କରିଥିଲେ। ଏଥିରେ ସେ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହୋଇଥିବା ଧାରା ୨୭୯, ୩୩୮ ଓ ୩୦୪ଏକୁ ବଦଳାଇ ଅନ୍ୟ କଠୋର ଦଫା ଲଗାଇବାକୁ କହିଛନ୍ତି।
ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହୋଇଥିବା ଧାରା ୨୭୯(ଖରାପ ଗାଡ଼ି ଚାଳନା), ୩୩୮(ଅଜାଣତରେ ବା ବେପରୁଆ ଢଙ୍ଗରେ ଅନ୍ୟକୁ ଆଘାତ ଦେବା) ଓ ୩୦୪ଏ(ଅବହେଳା ଜରିଆରେ ମୃତ୍ୟୁର କାରଣ ହେବା )କୁ ହଟାଯିବା ଦରକାର। ଅଭିଯୁକ୍ତଙ୍କ ବିଚାର ହତ୍ୟା ଉଦ୍ୟମ ଓ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଭଳି ଦଫାରେ କରାଯିବା ଉଚିତ ବୋଲି ସେ କହିଛନ୍ତି।
ଅକ୍ଟୋବର ୩ରେ ଶତାଧିକ ଚାଷୀ ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ବିରୋଧରେ ବିକ୍ଷୋଭ କରୁଥିଲେ। ଏହି ସମୟରେ ହଠାତ୍ ଗୋଟିଏ ମହିନ୍ଦ୍ରା ଥର ଆନ୍ଦୋଳନରତ ଚାଷୀଙ୍କ ଉପରେ ପଛ ପଟୁ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ଜୀବନ ଯାଇଥିଲା। ଏହାପରେ ଦେଖାଯାଇଥିବା ହିଂସାରେ ଗାଡ଼ିରେ ଥିବା ୩ ଜଣ ପ୍ରାଣ ହରାଇଥିଲେ। ସେହିପରି ଜଣେ ସାମ୍ବାଦିକଙ୍କର ମଧ୍ୟ ଜୀବନ ଯାଇଥିଲା।
Powered by Froala Editor