ଆନ୍ଧ୍ରପ୍ରଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଆୟରଲ୍ୟାଣ୍ଡ ଫେରନ୍ତା ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୪ରେ ପହଞ୍ଚିଛି ।
ସୂଚନା ଅନୁଯାୟୀ, ଆୟରଲ୍ୟାଣ୍ଡରୁ ଆନ୍ଧ୍ର ଆସିଥିବା ମୋଟ ୧୫ ଜଣ ଯାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ସାମ୍ପଲ ଜିନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ରିପୋର୍ଟ ଆସି ଥିବାବେଳେ ଜଣଙ୍କ ନିକଟରେ ଓମିକ୍ରନ ଭାରିଆଣ୍ଟ ଥିବା ଜଣାପଡିଛି । ଫଳରେ ପୂର୍ବରୁ ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ ଏବଂ କର୍ଣ୍ଣାଟକରେ ଓମିକ୍ରନ ପହଞ୍ଚି ସାରି ଥିବାବେଳେ ଏବେ ଆନ୍ଧ୍ରରେ ପହଞ୍ଚିଛି ।ତେବେ ଏହି ୩୪ ବର୍ଷୀୟ ଆକ୍ରାନ୍ତ ସିଧାସଳଖ ଆନ୍ଧ୍ରରେ ପହଞ୍ଚି ନଥିଲେ । ସେ ପ୍ରଥମେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚି ଥିଲେ । ସେଠାରେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ନଭେମ୍ବର ୨୭ରେ ବିଶାଖାପାଟମ୍ ଯିବାକୁ ଅନୁମତି ମିଳିଥିଲା । ଆନ୍ଧ୍ର ପ୍ରଦେଶର ଭିଜିଆନାଗ୍ରାମରେ ପହଞ୍ଚିବା ପରେ ତାଙ୍କର RT-PCR ଟେଷ୍ଟ କରାଯାଇଥିଲା । ସେଠାରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।ଫଳରେ ତାଙ୍କ ସାମ୍ପଲ ଜିନମ ସିକ୍ବେନ୍ସିଂ ପାଇଁ ପଠା ଯାଇଥିଲା । ରବିବାର ତାଙ୍କ ଟେଷ୍ଟ ରିପୋର୍ଟ ଓମିକ୍ରନ ପଜିଟିଭ ଆସିଛି ।
Powered by Froala Editor