ଆସାମରୁ ଉଦ୍ଧାର ହେଲା ମାରାଡୋନାଙ୍କ ସୌଖିନ ହାତଘଣ୍ଟା

ଦୁବାଇ ପୁଲିସ ସହାୟତାରେ ଆସାମ ପୁଲିସ ସ୍ବର୍ଗତ ଡିଏଗୋ ମାରାଡୋନାଙ୍କର ଗୋଟାଏ ସୌଖିନ ହାତଘଣ୍ଟା ଉଦ୍ଧାର କରିଛି। ଆଜି ଟୁଇଟ୍ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏ ସୂଚନା ଦେଇଛନ୍ତି। ଆସାମରୁ ଗିରଫ ହୋଇଥିବା ଉକ୍ତ ଅଭିଯୁକ୍ତଙ୍କ ନାମ ୱାଜିଦ୍ ହୁସେନ୍। ତାଙ୍କ ବିରୋଧରେ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।
ଏହି ଘଣ୍ଟାର ଦାମ୍ ୨୦ ଲକ୍ଷ ଟଙ୍କା ହେବ। କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ଦୁବାଇ ପୁଲିସ ଠାରୁ ସୂଚନା ପାଇ ଆସାମ ପୁଲିସ ଆଜି ଭୋର ୪ଟା ବେଳେ ଅଭିଯୁକ୍ତ ୱାଜିଦ୍ଙ୍କୁ ତାଙ୍କ ଶିବସାଗର ବାସଭବନରୁ ଗିରଫ କରିଛି ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ଶିବସାଗର ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରାକେଶ ରୌଶନ୍ କହିଛନ୍ତି, ଗୁପ୍ତ ସୂଚନା ଆଧାରରେ ଗତରାତିରେ ଆମେ ଅଭିଯାନ ଆରମ୍ଭ କରି ଅଭିଯୁକ୍ତଙ୍କୁ ତାଙ୍କ ଶଶୁର ଘରୁ ଗିରଫ କରିଥିଲୁ।
ମାରାଡୋନାଙ୍କ ସାମଗ୍ରୀଗୁଡ଼ିକ ଗଚ୍ଛିତ ରଖିଥିବା ଦୁବାଇର ଏକ କମ୍ପାନିରେ ‘ସିକ୍ୟୁରିଟି ଗାର୍ଡ’ ଭାବେ କାମ କରୁଥିବା ବେଳେ ୱାଜିଦ୍ ସ୍ବଳ୍ପ ସଂଖ୍ୟାରେ ନିର୍ମିତ ଏବଂ ମାରାଡୋନାଙ୍କ ସ୍ବାକ୍ଷର ଥିବା ଉକ୍ତ ‘ହବ୍ଲଟ୍’ ହାତଘଣ୍ଟାକୁ ଚୋରାଇ ଆଣିଥିଲେ ବୋଲି ଅଭିଯୋଗ ହୋଇଛି। ଚଳିତ ବର୍ଷ ଅଗଷ୍ଟ ମାସରେ ସେ ଆସାମ ଚାଲି ଆସିଥିଲେ।
Powered by Froala Editor