ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ଜୱାଦ ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇ ୪ତାରିଖରେ ଓଡିଶା ଓ ଆନ୍ଧ୍ର ଉପକୂଳ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ଆସନ୍ତା ତିନି ତାରିଖରୁ ପବନର ବେଗ ବଢିବା ସହ ବର୍ଷାର ବେଗ ବଢିବାର ସମ୍ଭାବନା ରହିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଓ ତତ୍ଜନିତ ସମସ୍ୟା ସଂପର୍କରେ ସମୀକ୍ଷା କରିଛନ୍ତି । ଓଡିଶା ଓ ଆନ୍ଧ୍ର ଉପରେ ଏହାର ସାମ୍ଭାବ୍ୟ ପ୍ରଭାବ ଓ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଆଇଏମଡିଡିଜି ମୃତୁ୍ୟଞ୍ଜୟ ମହାପାତ୍ରଙ୍କ ସହ ଅନେକ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି ।
ସୂଚନା ଅନୁସାରେ ସକ୍ରିୟ ରହିଥିବା ଲଘୁଚାପ କ୍ଷେତ୍ର ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ସମ୍ଭାବନା ରହିଛି । ପାଣି ପାଗ ବିଭାଗର ସୂଚନା ଅନୁସାରେ ୩ତାରିଖ ଠାରୁ ପବନ ଓ ବର୍ଷାର ବେଗ ବଢିବ ଓ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ୪ତାରିଖ ସକାଳେ ବାତ୍ୟା ଜୱାଦ ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବ କିନ୍ତୁ କେଉଁଠି ବାତ୍ୟା ଜୱାଦ ସ୍ଥଳଭାଗ ଛୁଇଁବ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ପାଣିପାଗ ବିଭାଗ କହିଛି । ୪ତାରିଖରେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । ୪ତାରିଖ ଅପରାହ୍ନରେ ୯୦କିମି ବେଗରେ ପବନ ବହିବା ସହିତ ସାମ୍ଭାବ୍ୟ ବାତ୍ୟା ଜୱାଦ ତା’ର ତାଣ୍ଡବ ରଚିବ ବୋଲି କୁହାଯାଉଛି ।
ଏହାର ପ୍ରଭାବେରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ସହିତ କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟରେ ମଧ୍ୟ ବର୍ଷାର ପରିମାଣ ସର୍ବାଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୫ତାରିଖ ପରଠାରୁ ଉତ୍ତର ଓଡିଶାରେ ଏହାର ପ୍ରଭାବ ରହିବ ।
Powered by Froala Editor