ବାତ୍ୟା: ପ୍ରଭାବିତ ରାଜ୍ୟକୁ ସହଯୋଗ କରିବ କେନ୍ଦ୍ରୀୟ ସଂସ୍ଥା
ଭୁବନେଶ୍ବର: ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ଜଓ୍ବାଦ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଡିସେମ୍ବର ୩ରେ ସାମୁଦ୍ରିକ ଝଡ଼ର ରୂପ ନେବ । ତେବେ ବାତ୍ୟା ମୁକାବିଲା ନେଇ କେନ୍ଦ୍ର ମନ୍ତ୍ରଣାଳୟପକ୍ଷରୁ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ୟ୍ୟୟ ପ୍ରଶମନ ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଯୋଗୁ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ ବାତ୍ୟା ପ୍ରଭାବରୁ ଭିତ୍ତିଭୂମିଜନିତ କ୍ଷତିକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା ।
ଏହିସବୁ ରାଜ୍ୟରେ NDRFର ୩୨ଟି ଦଳକୁ ନିୟୋଜିତ କରାଯାଇଛି । ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସ୍ଥଳସେନା ଓ ନୌସେନାର ରିଲିଫ ଓ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯିବା ସହିତ ଜାହାଜ ଓ ବିମାନଗୁଡ଼ିକୁ ଆବଶ୍ୟକତା କ୍ଷେତ୍ରରେ ମୁତୟନ ପାଇଁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକର ମୁକାବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ ରାଜୀବ ଗୌବା ଜୋର ଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କୁ ସହଯୋଗ ଲାଗି ସମସ୍ତ କେନ୍ଦ୍ରୀୟ ଏଜେନ୍ସି ସହାୟତା ପାଇଁ ପ୍ରସ୍ତୁତ ଏବଂ ଉପଲବ୍ଧ ରହିଛନ୍ତି ।
Powered by Froala Editor