ରାଜଭବନ ଅଭିମୁଖେ ବିଜେଡି ବିଧାୟକ
ଭୁବନେଶ୍ୱର: ବୁଧବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ କଟକଣା ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି । ପ୍ରାରମ୍ଭରୁ ଶାସକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ଯୋଡ଼ି ହୋଇ ଦିବଂଗତଙ୍କ ଉଦେ୍ଧଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିବା ପରେ ବିଜେଡି ବିଧାୟକମାନେ ବର୍ତ୍ତମାନ ରାଜଭବନ ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି । ବିଜେଡିର ସବୁ ବିଧାୟକ ଏଥିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକମାନେ ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି । କେନ୍ଦ୍ର ସରକାର ପାତରଅନ୍ତର କରୁଥିବା ଅଭିଯୋଗ କର ବିଧାୟକମାନେ ବିଧାନସଭାରୁ ବାହାରି ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି । ୧୩ ଲକ୍ଷ ସ୍ଥାନରେ ମାତ୍ର ୫ ଲକ୍ଷ ଘର କେନ୍ଦ୍ର ଦେଇଛି । ଅନ୍ୟପକ୍ଷରେ ବିଜେପି ଶାସିତ ରାଜ୍ୟକୁ ଅଧିକ ଘର ଦିଆଯାଉଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି । ବିଧାୟକମାନେ ରାଭଭବନ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ।
ପ୍ରାରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ଯୋଡ଼ି ହୋଇ ଦିବଂଗତଙ୍କ ଉଦେ୍ଧଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଦିବଂଗତ ନେତା ଓ କୋଭିଡ ଯୋଦ୍ଧାଙ୍କୁ ସ୍ମରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାଛଡ଼ା ଉମେଶ ଚନ୍ଦ୍ର ସ୍ୱାଇଁ, ରାମରାୟ ମୁଣ୍ଡା ଓ ପୂର୍ବତନ ସିପାହୀ ସୀତାରାମ ମୁର୍ମୁଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ କରିଥିଲେ ।
ଶୋକପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମର୍ଥନ କରିଥିôଲେ ।
Powered by Froala Editor