ସିଂହ ଏନକ୍ଲୋଜରକୁ ଡେଇଁ ପଡ଼ିଲେ ବ୍ୟକ୍ତି, କର୍ମଚାରୀ ବଞ୍ଚାଇଲେ ଜୀବନ
ହାଇଦ୍ରାବାଦସ୍ଥିତ ନେହେରୁ ଜୁଲୋଜିକାଲ ପାର୍କରେ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ହୋଇପାରିଛି । ଗତକାଲି ଉକ୍ତ ପ୍ରାଣୀ ଉଦ୍ୟାନରେ ବୁଲୁଥିବା ବେଳେ ଜି. ସାଇକୁମାର ନାମକ ଜଣେ ୩୧ ବର୍ଷ ବୟସ୍କ ଯୁବକ ଅକସ୍ମାତ ଆଫ୍ରିକୀୟ ସିଂହ ସଫାରୀ ଭିତରକୁ ଡେଇଁ ପଡିଥିଲେ।
ଲୋକମାନେ ଯେତେ ପାଟି କରିଥିଲେ ବି ସେ କାହା କଥା ନଶୁଣି ଏନକ୍ଲୋଜର ଭିତରକୁ ପଶିଯାଇଥିଲେ । ଏନକ୍ଲୋଜର ଭିତରକୁ ଯାଇ ସେ ଏକ ଉଚ୍ଚା ସ୍ଥାନରେ ଠିଆ ହୋଇଥିବାବେଳେ ତାଙ୍କୁ ଖାଇବା ଲାଗି ସିଂହ ଡେଇଁଥିଲା । ତେବେ ଏହା ଦେଖି ଉଦ୍ୟାନର ଜଣେ କର୍ମଚାରୀ ଏନକ୍ଲୋଜର ଭିତରେ ପଶିଥିଲେ । ପରେ କୌଶଳ କରି ତାଙ୍କୁ ନିରାପଦରେ ଆଣିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖାଯାଉଛି। ତେବେ ସେ ଏପରି କରିବାର କାରଣ ବିଷୟରେ କିଛି ତଥ୍ୟ ମିଳିପାରି ନାହିଁ। ସାଇ କୁମାରଙ୍କୁ ଉଦ୍ଧାର ପରେ ତାଙ୍କୁ ବାହାଦୂରପୁରା ପୋଲିସ ଷ୍ଟେସନକୁ ନିଆଯାଇଥିଲା । ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।
Powered by Froala Editor