ମୁଖ୍ୟମନ୍ତ୍ରୀଙ୍କ ସାମନାରେ ଏହା କହିଲେ ଦିବ୍ୟଶଙ୍କର

ଭବାନୀପାଟଣା : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ପାଇଁ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା। ମଞ୍ଚରେ ବସିଲେ ବଦନାମ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସଭାରେ ମଞ୍ଚରେ ନିଜ ପାଖରେ କ୍ୟାପଟେନଙ୍କୁ ବସାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମମିତା ମେହେର ପ୍ରସଙ୍ଗରେ ପ୍ରବଳ ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ସଭାରେ ସାମିଲ ହେଲେ ବିବଦୀୟ ମନ୍ତ୍ରୀ । ବିରୋଧୀ ଦଳଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀଙ୍କ ସହିତ ବସିଲେ। ଖାଲି ବସିଲେନି, ଭାଷଣ ବି ଦେଲେ।
କଳାହାଣ୍ଡି ଦିନେ ଭୋକର ଭୂଗୋଳ ଥିଲା । ମୁଖ୍ୟମନ୍ତ୍ରୀ ଆସିବା ପରେ ସେ ଚିତ୍ର ବଦଳି ଏବେ ବିକାଶର ଚିତ୍ର ଦେଖିବାକୁ ମିଳୁଛି ବୋଲି ସଭାରେ ସମ୍ବୋଧନ କରି କହିଛନ୍ତି ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ହେଲେ ସେହି କଳାହାଣ୍ଡି ଆଜି କିପରି ମମିତା ମେହେର ମୃତ୍ୟୁ ପ୍ରସଙ୍ଗକୁ ନେଇ ବଦନାମ ହେଉଛି ତାକୁ ଭୁଲି ଗଲେ । ମମିତା ମୃତ୍ୟୁ ମାମଲାରେ ନିଜର ସଂପୃକ୍ତି ଥାଇ ମଧ୍ୟ ସେ ବିଷୟରେ କୌଣସି ଉଲ୍ଲେଖ କରିନାହାନ୍ତି ।
ଗୋଟେ ପଟେ କଳାହାଣ୍ଡିରେ ବିକାଶର ଡିଣ୍ଡିମ ପିଟୁଥିବାବେଳେ କିପରି ସାରା ଦେଶରେ ଏବେ କଳାହାଣ୍ଡି ନିନ୍ଦତ ହେଉଛି ତାକୁ ଭୁଲିଗଲେ ମନ୍ତ୍ରୀ । ସାରା ରାଜ୍ୟରେ ଆଜି ପ୍ରବଳ ବିରୋଧ ସହ କଳାପାତାକା ପ୍ରଦର୍ଶନ କରାଯାଉଥିବାବେଳେ ସେ ବିଷୟରେ ମୁହଁ ମଧ୍ୟ ଖୋଲିଲେ ନାହିଁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।
ମୁଖ୍ୟମନ୍ତ୍ରୀ ଆଜି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ପାଇଁ ଭବାନୀପାଟଣାରେ ପହଞ୍ଚିଥିବା ବେଳେ ଆୟୋଜିତ କାର୍ୟ୍ୟକ୍ରମରେ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନ୍ୟ ମନ୍ତ୍ରୀ ଟୁକୁନି ସାହୁ, ନବ ଦାସ ଓ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ସେମାନଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।
ମନ୍ତ୍ରୀ ଟୁକୁନି ସାହୁ ସଭାକୁ ସମ୍ବୋଧିତ କରିବା ପରେ ମନ୍ତ୍ରୀ ଶ୍ରୀ ମିଶ୍ର ଭାଷଣ ଦେଇଥିଲେ। ସେ ତାଙ୍କ ଭାଷଣର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ୧୯୭୦ ପର୍ୟ୍ୟନ୍ତ କଳାହାଣ୍ଡିର ସ୍ଥିତ କ’ଣ ଥିଲା, ୧୯୭୦ରୁ ୨୦୦୦ ପର୍ୟ୍ୟନ୍ତ ଜିଲ୍ଲାର ସ୍ଥିତି କ’ଣ ଥିଲା ଓ ୨୦୦୦ ପରେ ନବୀନ ପଟ୍ଟନାୟକଙ୍କ ଶାସନ କାଳରୁ କ’ଣ ହୋଇଛି, ତା’ର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କଳାହାଣ୍ଡି ଜିଲ୍ଲାର ବହୁ ବିକାଶ କରିଥିବା ସେ କହିଥିଲେ। ତେବେ ସେ ମମିତା ମେହେର ହତ୍ୟାକାଣ୍ଡ ଓ ମହାଲିଙ୍ଗ ସମ୍ପର୍କରେ କିଛି କହି ନଥିଲେ।
Powered by Froala Editor