ଇଣ୍ଡୋନେସିଆର ଜାହାଜ ନିଖୋଜ, ଖୋଜିବାକୁ ଗଲା ବିଶାଖାପଟନମ୍ର ଡିଏସଆରଭି
ଇଣ୍ଡୋନେସିଆ ନୌସେନାର ଏକ ବୁଡ଼ାଜାହାଜ ସମୁଦ୍ରରେ ନିଖୋଜ ହୋଇଯାଇଛି । ଏଥିରେ ଥିବା ପ୍ରାୟ ୫୩ ଜଣ କର୍ମଚାରୀଙ୍କ ପତ୍ତା ମିଳୁନାହିଁ। ଏହି ବୁଡ଼ାଜାହାଜକୁ ଖୋଜିବାକୁ ଭାରତୀୟ ନୌସେନା ଏକ ସନ୍ଧାନୀ ଜାହାଜ ପଠାଇଛି । ଭାରତୀୟ ନୌସେନା ସୂତ୍ରରୁ ଜଣାପଡ଼ିଛି ଯେ, ବିଶାଖାପଟନମ୍ ରୁ ଏକ ଡିପ ସବମର୍ଜ୍ ରେସକ୍ୟୁ ଭେସେଲ (ଡିଏସଆରଭି) ପଠାଯାଇ ନିଖୋଜ ବୁଡ଼ାଜାହାଜର ସନ୍ଧାନ କରାଯାଉଛି । ଏହି ଡିଏସଆରଭିରେ ଅତ୍ୟାଧୁନିକ ସାଇଡ୍ ସ୍କାନ ସୋନାର ସିଷ୍ଟମ ରହିଛି ଯଦ୍ବାରା କି ପ୍ରାୟ ୧୦୦୦ ମିଟର ଗଭୀର ସମୁଦ୍ରରେ ଥିବା ବସ୍ତୁର ସନ୍ଧାନ ମିଳିପାରିବ ।
ଇଣ୍ଡୋନେସିଆ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଜର୍ମାନୀ ଲଢୁଆ ବୁଡ଼ାଜାହାଜ କେଆରଆଇ ନାଙ୍ଗୋଲା-୪୦୨ ବାଲି ଉପକୂଳରେ ଅନୁଷ୍ଠିତ ଏକ ନିୟମିତ ସାମରିକ ଅଭ୍ୟାସ ସମୟରେ ନିଖୋଜ ହୋଇଯାଇଥିଲା । ଏହି ବୁଡ଼ାଜାହାଜକୁ ଖୋଜିବାକୁ ଇଣ୍ଡୋନେସିଆ ନୌସେନା ବିଫଳ ହେବା ପରେ ବନ୍ଧୁରାଷ୍ଟ୍ରମାନଙ୍କ ସହଯୋଗ ଲୋଡ଼ିଥିଲା । ଏହାପରେ ଭାରତ, ସିଙ୍ଗାପୁର ଓ ମାଲେସିଆର ନୌସେନା ପକ୍ଷରୁ ସନ୍ଧାନୀ ଜାହାଜ ପଠାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଛି ।
Powered by Froala Editor