୨ରେ ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ

ସମ୍ବଲପୁର: ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସରକାରୀ ଭାବେ ସୂଚୀ ଜାରି ହୋଇଛି । ୨ ତାରିଖରେ ମୁଖ୍ୟମନ୍ତ୍ରୀ କୁଚିଣ୍ଡାସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଏସ୍କେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ଏହି ଅବସରରେ ଜିଲ୍ଲାର ପ୍ରାୟ ୭ ଶହ କୋଟି ଟଙ୍କାର ପ୍ରାୟ ଦେଢ ଶହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କାର୍ୟ୍ୟକ୍ରମ ରହିଛି ।
ତେବେ, ଏଥିରେ ମୁଖ୍ୟତଃ ବହୁ ପ୍ରତୀକ୍ଷିତ କୁଦଗୁଣ୍ଡେରପୁର ସେତୁ ସହିତ ଗୋଶାଳା ସୈନିକ ସ୍କୁଲ କୋଠାର ଲୋକାର୍ପଣ ଭଳି ଅନେକ ବଡ ବଡ ପ୍ରକଳ୍ପ ସାମିଲ ରହିଛି । ଆସନ୍ତା ୨ ତାରିଖ ସକାଳ ୯ଟା ୪୫ ମିନିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ବାହାରି ୯ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଆସି ୧୦ଟା ୩୫ ମିନିଟ୍ରେ ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ଅବତରଣ କରିବେ । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ କୁଚିଣ୍ଡା ଯାଇ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିବେ । ଏହା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ୟ୍ୟକ୍ରମ ରହିଛି ।
ସେହିପରି ଏହି ଅବସରରେ ଡିଜିଟାଲ୍ ମାଧ୍ୟମରେ ପ୍ରାୟ ୭ ଶହ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି।
Powered by Froala Editor