ଲଣ୍ଡନ ୱାର୍ଲଡ୍ ବୁକ୍ ଅଫ୍ ରେକର୍ଡସରେ ଆସିଫ୍ ଶେଖଙ୍କ ନାଁ
ପପୁଲାର୍ କମେଡି ଟିଭି ସିରିଜ୍ ଭାବିଜୀ ଘର ପର୍ ହୈ ର ଜଣାଶୁଣା ଚରିତ୍ର ବିଭୂତି ନାରାୟଣ ମିଶ୍ର ଓରଫ ଆସିଫ୍ ଶେଖଙ୍କୁ ଲଣ୍ଡନ ୱାର୍ଲଡ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ମିଳିଛି । ରେକର୍ଡ ବୁକରେ ସ୍ଥାନ ହାସଲ କରିବା ନେଇ ଖୋଦ ଆସିଫ୍ ସର୍ଟିଫିକେଟ୍ ସହ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ୧୯୮୪ରେ ଟିଭି ସିରିଜ୍ ହମ୍ ଲୋଗ ଜରିଆରେ ଆସିଫ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ଅନେକ ଟିଭି ସିରିଜ୍ ଓ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ନିଜ କ୍ୟାରିଅରରେ ଆସିଫ୍ ୟୁଗ, ଚାମ୍ପିୟନ୍, ତନହା, ମୁସ୍କାନ୍, ଗୁଲ୍ ସନୋବର୍, ଚନ୍ଦ୍ରକାନ୍ତା, ୟେସ୍ ବସ୍, ଦିଲ ମିଲ ଗୟା, ସିଆଇଡି ଓ ଚିଡିୟାଘର ଭଳି ପପୁଲାର ଟିଭି ସିରିଜ୍ ଅଭିନୟ କରିଛନ୍ତି ।
କିନ୍ତୁ ଭାବିଜୀ ଘର ପର ହୈ ରେ ସେ ଅଧିକ ଲୋକପ୍ରିୟ ହୋଇଛନ୍ତି । ପଡିଶାଙ୍କ ସ୍ତ୍ରୀ ସହ ଫ୍ଲର୍ଟିଂ ଓ ମଜାକିଆ ଅନ୍ଦାଜରେ ବିଭୂତିଙ୍କ ଚରିତ୍ର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ହେଲେ ଅନେକ ଜାଣିନଥିବେ ଯେ, ଏହି ସିରିଜରେ ବିଭୂତି ଓରଫ ଆସିଫ୍ ଗୋଟିଏ କି ଦୁଇଟି ନୁହେଁ ବରଂ ୩୦୦ ଭିନ୍ନଭିନ୍ନ ଚରିତ୍ରରେ ଦର୍ଶକଙ୍କ ମନୋରଂଜନ କରିଆସିଛନ୍ତି । ଖାସ ଏହି ନିଆରା ସଫଳତା ପାଇଁ ତାଙ୍କୁ ଲଣ୍ଡନ ୱାର୍ଲଡ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ମିଳିଛି ।
Powered by Froala Editor