ଏକର ଏକର ଫସଲ ଦଳିଦେଲେ ହାତୀପଲ
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ରେ ହାତୀପଲ ପୁଣି ଉପଦ୍ରବ ଆରମ୍ଭ କରିଛନ୍ତି । ଏକର ଏକର ଫସଲ ଦଳି ଦେଇଛନ୍ତି । ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ବହୁ କଷ୍ଟରେ ଧାର କରଜ କରି ଫସଲ କରିଥିବାରୁ କିପରି ଏହାକୁ ପରିଶୋଧ କରିବେ ତାହା ଭାବି ଭାବି ଆଖିରୁ ନିଦ ହଜି ଯାଇଛି । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।
ବିମଳା ଫରେଷ୍ଟ୍ ବିଟ୍ରେ କିଛିଦିନ ପୂର୍ବରୁ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ । ବନ ବିଭାଗ ବହୁ କଷ୍ଟରେ ହାତୀପଲକୁ ଜଙ୍ଗଲରକୁ ଘଉଡ଼ାଇ ଥିଲା । ଏବେ ପୁଣି ଏକ ୪୦ ଟିକିଆ ହାତୀପଲ ଆସି ଡେରା ପକାଇଛନ୍ତି । ସେମାନେ ଦିନ ବେଳେ ଚତୁରିହୁଳିରେ ରହୁଛନ୍ତି । ସନ୍ଧ୍ୟା ହେବା କ୍ଷତି ଗାଁ ମୁହାଁ ହେଉଛନ୍ତି । ଗାଁ ନିକଟରେ ହୋଇଥିବା ଧାନ ଫସଲରେ ଉତ୍ପାତ କରୁଛନ୍ତି । ଯେତିକି ଖାଉଛନ୍ତି ତା’ଠାରୁ ଅଧିକ ଦଳି ଚକଟି ନଷ୍ଟ କରୁଛନ୍ତି ।
ବୁଧବାର ବିଳମ୍ବିତ ରାତିରେ ଏହି ହାତୀପଲ ବିମଳା ପଂଚାୟତର ବିମଳା ଗାଁରେ ପଶି ୭ଜଣ ଚାଷୀଙ୍କ ୧୫ ଏକରରୁ ଅଧିକ ଧାନକ୍ଷେତକୁ ଖାଇ ଦେଇଛନ୍ତି । ଏଥିସହିତ ଗାଁ ମୁହାଁ ହେଉଥିବା ଏହି ହାତୀପଲ କେତେବେଳେ ଜନବସତିରେ ପଶିଯିବେ ତାହା କହିହେବନି । ଯାହାକୁ ନେଇ ଏବେ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି । ତୁରନ୍ତ ହାତୀପଲକୁ ଘଉଡ଼ାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
Powered by Froala Editor