ଟ୍ରେନିଂ ବେଳେ ଜମିରେ ଖସି ପଡ଼ିଲା ମିରାଜ ୨୦୦୦

ଭାରତୀୟ ବାୟୁସେନାର ମିରାଜ ୨୦୦୦ ଯୁଦ୍ଧ ବିମାନ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଥିବା ପାଇଲଟ ଅଭିଳାଷ ପାରାଶୁଟ୍ରେ ସୁରକ୍ଷିତ ଭାବେ ଅବତରଣ କରିବାରେ ସଫଳ ରହିଛନ୍ତି। ଏନେଇ ସ୍ଥାନୀୟ ପୁଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି।
IAF ର ମିରାଜ ୨୦୦୦ ବିମାନ ଆଜି ସକାଳେ ଟ୍ରେନିଂ ପାଇଁ ଉଡାଣ ଭରିଥିଲା । ପାଇଲଟ ଅଭିଳାଷ ଗ୍ବାଲିୟରର ବାୟୁସେନା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିିଥିଲେ। କିଛି ସମୟ ପରେ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ ପାରାଶୁଟରେ ସୁରକ୍ଷିତ ଅବତରଣ କରିଥିଲେ । ବିମାନ ଦୁର୍ଘଟଣାର ଭିଡ଼ିଓ କେତେକ ଗ୍ରାମବାସୀ ମୋବାଇଲ କ୍ୟାମେରା ଦ୍ୱାରା ଶୁଟିଂ କରିଛନ୍ତି। ଏବେ ଏହା ସୋସିଆଲ ମିିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ପାଇ ବାୟୁସେନା ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମିରାଜ ଯୁଦ୍ଧ ବିମାନଟି କେଉଁ କାରଣରୁ ମଝି ଆକାଶରେ ଦୁଇଖଣ୍ଡ ହୋଇଛି ତାହାର ତଦନ୍ତ ଜାରି ରହିଛି। ବିମାନର ଭଗ୍ନାବଶେଷ ଗାଁର ଚାଷ ଜମିରେ ବିଛାଡ଼ି ହୋଇ ପଡ଼ିଛି।
ଏହା ପୂର୍ବରୁ ଅଗଷ୍ଟ ୩ ଏବଂ ଅଗଷ୍ଟ ୨୫ରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟଙ୍କ ଜୀବନ ବଞ୍ଚିଯାଇଥିଲା। ଅଗଷ୍ଟ ୩ରେ ଜମ୍ମୁ-କଶ୍ମୀର କାଠୁଆରେ ଥିବା ରଞ୍ଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ଅଗଷ୍ଟ ୨୫ରେ ରାଜସ୍ଥାନର ବାରମେରଠାରେ ଭାରତୀୟ ବାୟୁସେନାର ଏକ ମିଗ୍-୨୧ ବିସନ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
Powered by Froala Editor