ଜାତୀୟ ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟି ଦେଲେ ତାଲିବାନୀ
ନୃଶଂସତାର ସୀମା ଟପୁଛନ୍ତି ତାଲିବାନୀ ଆତଙ୍କୀ । ଏବେ ଆଫଗାନିସ୍ତାନର ଜଣେ କନିଷ୍ଠ ମହିଳା ଜାତୀୟ ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟି ଦେଇଛନ୍ତି । ଯାହାର ସୂଚନା ଦେଇଛନ୍ତି ଜଣେ ପ୍ରଶିକ୍ଷକ । ଏକ ସାକ୍ଷାତକାରରେ ପ୍ରଶିକ୍ଷକ କହିଛନ୍ତି ଯେ ଅକ୍ଟୋବର ଆରମ୍ଭରେ ତାଲିବାନ ଦ୍ୱାରା ମହଜାବିନ ହାକିମି ନାମକ ଜନୈକା ମହିଳା ଭଲିବଲ ଖେଳାଳିଙ୍କୁ ତାଲିବାନୀମାନଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। କିନ୍ତୁ, ତାଲିବାନୀମାନେ ତାଙ୍କ ପରିବାରକୁ ଏହା ବିଷୟରେ ବାହାରେ ନ କହିବାକୁ ଧମକ ଦେଇଥିବାରୁ କେହି ହତ୍ୟା ବିଷୟରେ ଜାଣିପାରି ନଥିଲେ।
ଅଶରଫ୍ ଘନି ସରକାରର ପତନ ପୂର୍ବରୁ ମହଜବିନ କାବୁଲ ନଗର ପାଳିକା ଭଲିବଲ୍ କ୍ଲବ୍ ପକ୍ଷରୁ ଖେଳୁଥିଲେ ଏବଂ ଟିମର ଷ୍ଟାର୍ ଖେଳାଳିଙ୍କ ମଧ୍ୟରେ ସାମିଲ୍ ଥିଲେ। କୋଚଙ୍କ କହିବା ମୁତାବକ, କିଛି ଦିନ ତଳେ ମହଜବିନର କଟା ମୁଣ୍ଡ ଏବଂ ରକ୍ତ ଜୁଡୁବୁଡ଼ୁ ବେକର ଫଟୋ ସୋଶାଲ ମିଡିଆରେ ସାମ୍ନାକୁ ଆସିଥିଲା। ଅଗଷ୍ଟରେ ତାଲିବାନମାନେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଛଡ଼ାଇ ନେବା ପୂର୍ବରୁ ଦଳର କେବଳ ଦୁଇ ଜଣ ଖେଳାଳି ଦେଶରୁ ଖସିଯିବାକୁ ସକ୍ଷମ ହୋଇଥିଲେ। ମହଜାବିନ ହାକିମି ଦୁର୍ଭାଗ୍ୟଜନକ ମହିଳା କ୍ରୀଡାବିତଙ୍କ ମଧ୍ୟରେ ଥିଲେ ଯେଉଁମାନେ ପଛରେ ରହିଯାଇଥିଲେ।
ପ୍ରଶିକ୍ଷକ କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ କବଜା ପରେ ସେମାନେ ଲଗାତର ମହିଳା ଆଥଲେଟଙ୍କୁ ଖୋଜିଖୋଜି ବାହାର କରୁଥିଲେ। ବିଶେଷକରି ତାଲିବାନୀ ମହିଳା ଭଲିବଲ୍ ଟିମର ସଦସ୍ୟଙ୍କ ସନ୍ଧାନରେ ଥିଲେ, ଯେଉଁମାନେ ଅନେକ ବିଦେଶୀ ଓ ଘରୋଇ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ମିଡିଆ କାର୍ଯ୍ୟକ୍ରମରେ ଲଗାତର ନଜର ଆସୁଥିଲେ। ତେଣୁ ସମସ୍ତେ ପଳାୟନ କିମ୍ବା ଲୁଚିବାକୁ ବାଧ୍ୟ ହେଉଥିଲେ।
Powered by Froala Editor