ପାକିସ୍ତାନୀ ଜଳସୀମାରେ ଭାରତୀୟ ବୁଡ଼ାଜାହାଜ !

ଏକ ଭାରତୀୟ ବୁଡ଼ାଜାହାଜ ପାକିସ୍ତାନୀ ଜଳସୀମା ମଧ୍ୟରେ ଅନୁପ୍ରବେଶ କରିଥିବା ପାକିସ୍ତାନର ନୌସେନା ଦାବି କରିଛି । ପାକିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ପୂର୍ବରୁ ପାକିସ୍ତାନୀ ନୌସେନା ଭାରତ ଉପରେ ଏ ସଙ୍ଗୀନ ଆରୋପ ଲଗାଇଛନ୍ତି। ନିଜ ଦାବିକୁ ପ୍ରମାଣିତ କରିବାକୁ ପାକିସ୍ତାନୀ ପ୍ରତିରକ୍ଷା ବାହିନୀର ଇଣ୍ଟରସର୍ଭିସ ପବ୍ଲିକ ରିଲେସନ୍ସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଭିଡିଓ ଦେଖାଯାଉଛି ଯେ ଏକ ବୁଡ଼ାଜାହାଜ ପେରିସ୍କୋପ୍ ଗଭୀରତାରେ ଗତି କରୁଛି । ଭିଡିଓକୁ ଏକ ଡ୍ରୋନ ଦ୍ବାରା ଉଠାଯାଇଥିବା ମନେହେଉଛି ।
ଇଣ୍ଟର ସର୍ଭିସେସ୍ ପବ୍ଲିକ ରିଲେସନ(ଆଇଏସପିଆର) କହିଛି, ପାକିସ୍ତାନ ନୌସେନା ଭାରତୀୟ ନୌସେନାର ଏକ ବୁଡାଜାହାଜକୁ ଅଟକାଇଛି। ଏହି ବୁଡାଜାହାଜ ପାକିସ୍ତାନ ଜଳସୀମାରେ ଅକ୍ଟୋବର ୧୬ରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ହେଲେ ଏହା ପୂର୍ବରୁ ହିଁ ପାକିସ୍ତାନୀ ନୌସେନା ଭାରତୀୟ ବୁଡାଜାହାଜକୁ ଟ୍ରାକ୍ କରି ନେଇଥିଲା ବୋଲି ପାକିସ୍ତାନୀ ସେନା ପକ୍ଷରୁ କୁହାଯାଇଛି।
ପାକିସ୍ତାନର ଏହି ଦାବି ଉପରେ ଭାରତୀୟ ନୌସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ବିଶେଷଜ୍ଞଙ୍କ ମତରେ ଭାରତୀୟ ନୌସେନାର ବୁଡ଼ାଜାହାଜ ଗୁଡ଼ିକ ଶତ୍ରୁଦେଶର ଜଳସୀମା ମଧ୍ୟକୁ ପେରିସ୍କୋପ ଗଭୀରତାରେ ବିଚରଣ କରେ ନାହିଁ । ଏହା ମୁଖ୍ୟତଃ ଗଭୀର ସମୁଦ୍ରରେ ଗୁପ୍ତ ଭାବରେ ବିଚରଣ କରୁଥାଏ ।
Powered by Froala Editor