କୋଇଲା ଅଭାବରୁ ବ୍ଲାକ୍ଆଉଟ୍ ହୋଇପାରେ ଦିଲ୍ଲୀ
ଅନ୍ଧାର ହୋଇଯିବ ଦିଲ୍ଲୀ । କୋଇଲା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ ଯୋଗାଣ କରୁଥିବା ବିଦ୍ୟୁତ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ କୋଇଲା ଏବଂ ଗ୍ୟାସ ଯୋଗାଇବାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହସ୍ତକ୍ଷେପ କରିବାକୁ କହିଛନ୍ତି। ନଚେତ୍ ଦିଲ୍ଲୀ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇପାରେ। ଏବଂ ଆଗାମୀ ୨ଦିନ ମଧ୍ୟରେ ସମଗ୍ର ଦିଲ୍ଲୀ ‘ବ୍ଲାକ୍ଆଉଟ’ ହୋଇଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ‘ମୁଁ ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ସଙ୍କଟକୁ ଏଡାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ। ସେପଟେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି ଏକ ଚିଠି ଲେଖିଛି ବୋଲି ଶ୍ରୀ କେଜ୍ରିୱାଲ ଟୁଇଟ୍ କରି କହିଛନ୍ତି।
ଦିଲ୍ଲୀର ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କହିଛନ୍ତି ଯେ, ତାପଜ ବିଦ୍ୟୁତ୍ କେନ୍ଦ୍ରରେ କେବଳ ଗୋଟିଏ ଦିନର କୋଇଲା ଷ୍ଟକ୍ ବାକି ଅଛି । ଯେଉଁଠାରୁ ରାଜଧାନୀ ଦିଲ୍ଲୀକୁ ବିଦ୍ୟୁତ୍ ଯୋଗାଯାଉଛି । ସେପଟେ ଦିଲ୍ଲୀରେ ମଧ୍ୟ ବିଦ୍ୟୁତ କାଟ ଆରମ୍ଭ ହୋଇଯାଇଛି । ରାଜଧାନୀ କେନ୍ଦ୍ର ଦ୍ୱାରା ପରିଚାଳିତ ବିଦ୍ୟୁତ୍ ପ୍ଲାଣ୍ଟ ଉପରେ ନିର୍ଭରଶୀଳ । ଯିଏ ଚାହିଦା ଅନୁସାରେ ବିଜୁଳି ଯୋଗାଇଥାଏ । ଯଦି କେନ୍ଦ୍ରରୁ ଅଧିକ ବିଦ୍ୟୁତ୍ ଯୋଗାଣ ନ ହୁଏ ତେବେ ସମଗ୍ର ଦିଲ୍ଲୀରେ ବ୍ଲାକଆଉଟ୍ ହେବ ।
ସୂଚନା ଅନୁସାରେ ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଅଭାବ ଦେଖାଦେଇଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଶୁକ୍ରବାର କହିଛି ଯେ, ପ୍ଲାଣ୍ଟ ଗୁଡିକରେ ତିନି ଦିନରୁ କମ୍ ଷ୍ଟକ୍ ବାକି ଅଛି । ରାଜସ୍ଥାନ, ତାମିଲନାଡୁ ଏବଂ ଓଡିଶା ଭଳି ରାଜ୍ୟରେ ମଧ୍ୟ ଗୁରୁତର ସଙ୍କଟ ଦେଖାଦେଇଛି।
Powered by Froala Editor