ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍ଓଙ୍କୁ କ୍ଲିନ୍ଚିଟ୍, କିନ୍ତୁ ବିଦ୍ୟାଭାରତୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ
ପାରଳାଖମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଡିଏଫ୍ଓ ଏବଂ ରୋଷେୟାଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ତଦନ୍ତରୁ ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ। ଆଉ ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀକୁ ଆଧାର ଏବଂ ତଦନ୍ତର ନିର୍ଯ୍ୟାସ ଅନୁସାରେ କ୍ୱାର୍ଟସରେ ହିଁ ଘଟଣା ଘଟିଛି। ଦୁହିଁଙ୍କ ଏହି ଘଟଣାରେ ଭୂମିକା ନ ଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।
ଏଡିଜି କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା। ଏହା ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରୁ ସ୍ପଷ୍ଟ ହୋଇଛି। ଏଥିରେ ସୌମ୍ୟରଞ୍ଜନ କହିଥିଲେ ଯେ ସେ ପେପରରେ କିରାସିନି ଢାଳି ନିଆଁ ଲଗାଉଥିଲେ। ସେତେବେଳେ ହଠାତ୍ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ତଳେ ପଡ଼ି ଯାଇଥିଲେ। ଏହା ସହିତ ତାଙ୍କ ଉପରେ କିରାସିନି ପଡ଼ିବା ସହ ନିଆଁ ଲାଗି ଯାଇଥିଲା। ଡାକ୍ତର ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ଼ କରାଯାଇଥିଲା। ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି।
କିନ୍ତୁ ଏ ମମାଲାରେ ଫସିଯାଇଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥିଲେ ହେଁ ତାଙ୍କ ଦେହରେ ନିଆଁ ଲାଗିଥିବା ବେଳେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା କିଛି କରିନଥିଲେ। ସେ ନିଆଁ ଲିଭାଇବାକୁ ଚେଷ୍ଟା କରିନଥିଲେ କି ସଙ୍ଗେ ସଙ୍ଗେ କାହାକୁ ନିଆଁ ଲିଭାଇବାକୁ ଡାକିନଥିଲେ। ସୌମ୍ୟଙ୍କ ଦେହରେ ଯଥେଷ୍ଟ ପାଣି ମଧ୍ୟ ପକା ଯାଇନଥିଲା। ବିଦ୍ୟାଭାରତୀ ନିଆଁ ଲିଭାଇବା ପାଇଁ ଯଥୋଚିତ ଉଦ୍ୟମ କରିନଥିବା ତାଙ୍କ ପଲିଗ୍ରାଫ ଟେଷ୍ଟରୁ ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି, ବିଦ୍ୟାଭାରତୀ ଜଣେ ସାଇନ୍ସ ଗ୍ରାଜୁଏଟ୍। ସେ ଚାହିଁଥିଲେ ନିଆଁ ଲିଭାଇ ପାରିଥାଆନ୍ତେ। ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସିର ୨୮୫ ଏବଂ ୩୦୪(A) ଦଫାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାହାହେଲେ ତାଙ୍କୁ ଦୁଇ ବର୍ଷ ଜେଲ୍ ହେବ ବୋଲି ଏଡିଜି କହିଛନ୍ତି।
Powered by Froala Editor