ସରକାରୀ କାର୍ୟ୍ୟକ୍ରମରେ ଶାସକ ବିରୋଧୀ କଥାକଟାକଟି, ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଯୋଜନାକୁ ନେଇ ଟଣାଓଟରା
ପୁରୀ: ସ୍ବାସ୍ଥ୍ୟକୁ ନେଇ ସରଗରମ ରାଜ୍ୟ ରାଜନୀତି । ସରକାରୀ କାର୍ୟ୍ୟକ୍ରମରେ ଶାସକ ବିରୋଧୀ କଥାକଟାକଟି । ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଯୋଜନାକୁ ନେଇ ଟଣାଓଟରା । ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଞ୍ଚଳର ସମସ୍ୟା କଥା ଜଣାଇଲେ ଘେରି ଯାଉଛନ୍ତି ଶାସକ ଦଳର ନେତାମନ୍ତ୍ରୀ । ବ୍ରହ୍ମଗିରିରେ ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ସ୍ମାର୍ଟ ହେଲ୍ଥ କାର୍ଟ ବଣ୍ଟନ ସମୟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।
ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମଞ୍ଚ ଉପରେ ହିଁ ଯୋଜନାକୁ ନେଇ ଟଣାଓଟରା ହୋଇଯାଇଥିଲେ ବିରୋଧୀ ବିଧାୟକ ଓ ଶାସକ ଦଳର ନେତାମନ୍ତ୍ରୀ । କାହାର ଯୋଜନା କେତେ ଭଲ, ତାକୁ ନେଇ ଚାଲିଥିଲା ଆରୋପ ପ୍ରତ୍ୟାରୋପ । ବିରୋଧୀ ଦଳର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ନିଜ ଅଞ୍ଚଳର ସମସ୍ୟା ରଖିଥିବାବେଳେ ତାଙ୍କୁ ଘେରିଯାଇ ପ୍ରତିଶ୍ରୁତିର ପାହାଡ ଛିଡା ହୋଇଥିବା ଦେଖାଇଥିଲେ ଶାସକ ଦଳର ସାଂସଦ ଓ ମନ୍ତ୍ରୀ ।ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ଆୟୁଷମାନ ଯୋଜନାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଇଲେ ଓଡିଶାର ଗରିବ ଜନସାଧାରଣ ଏଥିରୁ ଅନେକ ସୁବିଧା ପାଇପାରନ୍ତେ ବୋଲି ମତ ରଖିଥିଲେ ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଏହାସହିତ ଆୟୁଷମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବ୍ରହ୍ମଗିରି ବିଧାୟକ ।ସେପଟେ ବ୍ରହ୍ମଗିରି ବିଧାୟକ ତଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଏନେଇ କାଉଣ୍ଟର ଆଟାକ କରିଛନ୍ତି ଶାସକ ଦଳର ମନ୍ତ୍ରୀ ଓ ସାଂସଦ । ରାଜ୍ୟ ସରକାରଙ୍କ ଯୋଜନା ଭାରତ ସରକାରଙ୍କ ଯୋଜନାଠାରୁ ଅଧିକ ଭଲ ବୋଲି ଯୁକ୍ତି ରଖିଥିଲେ ଶାସକ ଦଳର ନେତା । ୨୧ ଦଶନ୍ଦିରେ ଆଜିର ସତ୍ୟତା ହେଉଛି ଯେ ନବୀନ ଓ ଓଡିଶା ଯାହା ଆଜି ପରିକଳ୍ପନା କରନ୍ତି ତାହା ଭାରତ କାଲି କରିବାକୁ ଯାଏ ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଯାହା ନବୀନ କରୁଛନ୍ତି ଅନ୍ୟ ରାଜ୍ୟ ତାହା ଅନୁସରଣ କରୁଛନ୍ତି ବୋଲି ପିନାକୀ ଯୁକ୍ତି ବାଢିଛନ୍ତି । କେବଳ ସେତିକି ନୁହେଁ, ଏହା ଓଡିଶାରେ ଇନସୁରାନ୍ସ ସ୍କିମ ନୁହେଁ, ଆସୁରାନ୍ସ ସ୍କିମ ବୋଲି ସେ କହିଛନ୍ତି ।
Powered by Froala Editor