ସାହିତ୍ୟରେ ନୋବେଲ ପାଇବେ ଅବ୍ଦୁଲ୍ ରାଜକ ଗୁରନାହ
ଚଳିତ ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇବେ ଉପନ୍ୟାସକାର ଅବ୍ଦୁଲ୍ ରାଜକ ଗୁରନାହ । ସ୍ୱିଡିସ୍ ଏକାଡେମୀ ଏହି ପୁରସ୍କାର ଘୋଷଣା କରି କହିଛି ଯେ, ଗୁରନାହ ନିଜ ଲେଖା ଜରିଆରେ ଉପନିବେସବାଦର ପ୍ରଭାବ, ସଂସ୍କୃତିକୁ ନେଇ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି । ଶରଣାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ତାଙ୍କର ପ୍ରଚେଷ୍ଟା ଏବଂ କରୁଣାମୟ ଲେଖା ବିଶ୍ୱବାସୀଙ୍କ ହୃଦୟରେ ଏକ ଦୟା ପ୍ରବଣତାର ଭାବ ସୃଷ୍ଟି କରିପାରିଛି ।
୧୯୪୮ରେ ଜାଞ୍ଜିବରରେ ଜନ୍ମ ଗ୍ରହଣ କରିଥିବା ଗୁରନାହ ୬୦ ଦଶକରେ ଜଣେ ଶରଣାର୍ଥୀ ଭାବେ ଇଂଲଣ୍ଡକୁ ଆସିଥିଲେ । ସେ ୧୦ଟି ଉପନ୍ୟାସ ଓ ଅନେକ କ୍ଷୁଦ୍ରଗଳ୍ପ ଲେଖିଛନ୍ତି । ୧୯୯୪ରେ ତାଙ୍କର ଉପନ୍ୟାସ ପାରାଡାଇଜ୍ (ସ୍ବର୍ଗ) ପ୍ରକାଶିତ ହୋଇ ଲୋକପ୍ରିୟ ହୋଇଥିଲା । ପ୍ରଥମ ବିଶ୍ବଯୁଦ୍ଧ କାଳରେ ପୂର୍ବ ଆଫ୍ରିକାର ପରିସ୍ଥିତି ସମ୍ପର୍କରେ ଏହି ଉପନ୍ୟାସଟି ପର୍ଯ୍ୟବେଶିତ ଥିଲା । ଏହା ସେତେବେଳେ ବୁକର ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇଥିଲା ।
ପ୍ରତିବର୍ଷ ସ୍ବିଡେନର ଷ୍ଟକହୋମସ୍ଥିତ ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ନୋବେଲ ପୁରସ୍କାର ଦିଆଯାଇଥାଏ । ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଗତ ୧୨୦ ବର୍ଷରେ ଏପର୍ଯ୍ୟନ୍ତ ମୋଟ ୧୧୮ ଜଣ ବ୍ୟକ୍ତି ସାହିତ୍ୟରେ ନୋବେଲ ପୁରସ୍କାର ପାଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ମହିଳା ଅଛନ୍ତି ।
Powered by Froala Editor