ମଧ୍ୟାହ୍ନଭୋଜନ ପରେ ନିଜ ବାସନ ନିଜେ ଧୋଉଛନ୍ତି ଛାତ୍ରଛାତ୍ରୀ, ବିଦା ହେଲେ ପ୍ରଧାନ ଶିକ୍ଷୟତ୍ରୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୈନପୁରୀର ଦାଉଦପୁର ଗ୍ରାମରେ ଥିବା ଏକ ସରକାରୀ ସ୍କୁଲରେ ଜାତିଆଣ ମନୋଭାବ ସାମ୍ନାକୁ ଆସିଛି । ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ରଛାତ୍ରୀମାନଙ୍କ ବାସନ ଅଲଗା ରହୁଛି । ଏଥିସହିତ ମଧ୍ୟାହ୍ନଭୋଜନ ପରେ ଛାତ୍ରଛାତ୍ରୀମାନେ ନିଜ ବାସନ ନିଜେ ଧୋଉଛନ୍ତି । ଏଭଳି କାର୍ଯ୍ୟ ପାଇଁ ସ୍କୁଲର ଦୁଇଜଣ ରୋଷେୟାଙ୍କୁ ଚାକିରିରୁ ବିଦା କରାଯାଇଛି । ତଦନ୍ତ ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମଧ୍ୟ ସ୍କୁଲରୁ ବିଦା କରାଯାଇଛି । ଜିଲ୍ଲାପାଳ ମହେନ୍ଦ୍ର ବାହାଦୁର ସିଂହ ନିଜଆଡ଼ୁ ଏହି ମାମଲାକୁ ସଂଜ୍ଞାନକୁ ନେଇ ଉକ୍ତ ପଦକ୍ଷେପ ନେଇଛନ୍ତି । ଗତ କିଛି ମାସ ହେଲା ଛାତ୍ରଛାତ୍ରୀମାନେ ସ୍କୁଲରେ ବାସନ ଧୋଇ ଆସୁଥିଲେ । ଏ ଖବର ଗ୍ରାମର ମୁଖିଆଙ୍କ ନିକଟରେ ପହଞ୍ଚିବା ପରେ ସେ ସ୍କୁଲ ପରିଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଏ ନେଇ ସେ ଆଲୋଚନା କରିବା ସହ ଏଭଳି ହେବା ଉଚିତ ନୁହେଁ ବୋଲି କହିଥିଲେ । ଗ୍ରାମ ମୁଖିଆଙ୍କ କଥାକୁ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁତ୍ୱ ଦେଇ ନଥିଲେ । ଅନ୍ୟଜଣେ ଅଧିକାରୀ ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବାରୁ ତାଙ୍କ ସ୍ୱାମୀ କହିଥିଲେ, ସ୍କୁଲରେ ଏମିତି ଚାଲେ । ଆଗକୁ ବି ଏହିଭଳି ଚାଲିବ । ଛାତ୍ରଛାତ୍ରୀମାନେ କହିଥିଲେ, ସେମାନଙ୍କ ବାସନ ଶ୍ରେଣୀ ଗୃହରେ ରଖାଯାଏ । ଅନ୍ୟ ଷ୍ଟାଫମାନଙ୍କ ବାସନ କିଚେନରେ ରଖା ହୁଏ । ଏ ନେଇ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
Powered by Froala Editor