ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଚିଠି ଲେଖିଲେ ଯୁବତୀ: ‘ଆମ ଗାଁକୁ ରାସ୍ତା ନହେବା ଯାଏ ବାହା ହେବିନି’
‘ଟଏଲେଟ୍ : ଏକ ପ୍ରେମକଥା’ ଫିଲ୍ମ ସମସ୍ତଙ୍କୁ ଛୁଇଁଥିଲା । କାରଣ ଶୌଚାଳୟ ଓ ସ୍ୱଚ୍ଛ ବାର୍ତ୍ତାକୁ ନେଇ ହୋଇଥିବା ଏହି ଫିଲ୍ମ ସାଧାରଣ ଜୀବନଯାପନ ସହ ଜଡିତ । ଏଥିରେ ଜଣେ ମହିଳା କିପରି ଶୌଚାଳୟ ପାଇଁ ନିଜ ସ୍ୱାମୀଙ୍କୁ ଛାଡିବାକୁ ବି ପଛାଇ ନଥିଲେ ତାହା ଦର୍ଶାଯାଇଛି । ସେହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକରେ । ହେଲେ ଏବେ ଶୌଚାଳୟ ନୁହେଁ । ବରଂ ରାସ୍ତା ପାଇଁ ଭାଙ୍ଗିଛି ବାହାଘର ।
ଜଣେ ଯୁବତୀ ଏନେଇ ଅଭିନବ ପ୍ରଦର୍ଶନ କରିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କୁ ଚିଠି ଲେଖି ସମସ୍ୟା ଜଣାଇଛନ୍ତି। କର୍ଣ୍ଣାଟକର ୨୬ ବର୍ଷୀୟା ଏହି ଯୁବତୀଙ୍କ ନାଁ ବିନ୍ଦୁ ଏବଂ ସେ ଜଣେ ଶିକ୍ଷୟିତ୍ରୀ। ଦେବନାଗରୀ ଜିଲ୍ଲା ଏଚ୍ ରାମପୁରା ଗାଁର ବାସିନ୍ଦା ବିନ୍ଦୁ ଗାଁ ରାସ୍ତାର ସ୍ଥିତିକୁ ନେଇ ବହୁତ ନାରାଜ ହୋଇଛନ୍ତି। ରାସ୍ତା ଠିକ୍ ନହେବା ଯାଏ ବାହା ହେବେନି ବୋଲି ସେ ପଣ କରିଛନ୍ତି। ବିନ୍ଦୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଲେଖିଛନ୍ତି ଯେ, 'ଗାଁରେ ସଡ଼କ କନେକ୍ଟିଭିଟି ଠିକ୍ ନାହିଁ। ଗାଁ ବହୁତ ପଛରେ ପଡ଼ିଛି। ଆମର କାହାର ବିବାହ ପ୍ରସ୍ତାବ ଆସୁନାହିଁ କାରଣ ବାହାର ଲୋକ ଭାବୁଛନ୍ତି, ଏଠାରେ ରାସ୍ତା ଠିକ୍ ନାହିଁ ଅର୍ଥ ଏଠାକାର ପିଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ନଥିବ।'
ବିନ୍ଦୁଙ୍କ ଚିଠିର ଜାବବ ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଖୁବଶୀଘ୍ର ଗାଁ ରାସ୍ତା ମରାମତି ହୋଇଯିବ ବୋଲି ସିଏମଓ ବିନ୍ଦୁଙ୍କୁ ଭରସା ଦେଇଛି। ଏହା ପରେ ସିଏମଓ ପକ୍ଷରୁ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ବିଭାଗକୁ ରାସ୍ତା ମରାମତି ପାଇଁ ନିର୍ଦେଶ ଦିଆଯାଇଛି।
Powered by Froala Editor