ସ୍ମାର୍ଟସିଟିରେ ମାଗଣାରେ ୱାଇଫାଇ, ପର୍ଣ୍ଣ ସାଇଟ ଦେଖୁଛନ୍ତି ରାଜଧାନୀ ଯୁବବର୍ଗ !
ଭୁବନେଶ୍ୱର : ସ୍ମାର୍ଟସିଟି ଭୁବନେଶ୍ୱରରେ ମାଗଣାରେ ୱାଇଫାଇ ଦିଆଯାଉଛି । ବୈଷୟିକ ପ୍ରଯୁକ୍ତିର ସହଯୋଗରେ ଯୁବବର୍ଗଙ୍କ ଠାରୁ ନେଇ ଅନ୍ୟମାନେ ୱେବସାଇଟ ସର୍ଚ୍ଚ କରି ପାଠ ପଢ଼ା ଓ ଅନ୍ୟ ବିଷୟରେ ଜାଣିବା ପାଇଁ ଏଭଳି କରାଯାଇଛି । ତେବେ କେତେକ ଯୁବକ ଅପରାହ୍ନ ୪ଟା ହୋଇଗଲେ ପର୍ଣ୍ଣସାଇଟ ଖୋଲିବାରେ ଲାଗିପଡ଼ିଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ସତର୍କ ଓ ସଚେତନ କରାଯିବା ସହ ଆଗକୁ ଏହି ୱେବସାଇଟ ବ୍ଲକ କରିବା ପାଇଁ କୁହାଯାଉଛି ।
ଦୀର୍ଘ ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ସ୍ମାର୍ଟ ସିଟିରେ କାର୍ଯ୍ୟକ୍ଷମ ହୋଇଛି ଡିଜିଟାଲ କିଓସ୍କ । ଫୋନ କଲଠାରୁ ଆରମ୍ଭ କରି ପ୍ରମାଣପତ୍ର, ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନ ଠାରୁ ଆରମ୍ଭ କରି ଯେ କୌଣସି ଆବେଦନର ସ୍ଥିତି ଜାଣିବା ପାଇଁ ସହରର ପ୍ରମୁଖ ସ୍ଥାନମାନଙ୍କରେ ବିଏସସିଏଲ (ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ) ସ୍ଥାପନ କରିଥିବା ଏହି କିଓସ୍କ ଏବେ ସେବା ପ୍ରଦାନ ଆରମ୍ଭ କରିଛି । ତେବେ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ହାତପାଆନ୍ତାରେ ସେବା ଯୋଗାଇବା ପାଇଁ ବିଏସସିଏଲର ଏହି ନିଆରା ବ୍ୟବସ୍ଥାରେ ଏକ ବିଚିତ୍ର ଦୃଶ୍ୟ ସାମ୍ନାକୁ ଆସିଛି । ଉଚ୍ଚଶକ୍ତି ସମ୍ପନ୍ନ ଇଣ୍ଟରନେଟ ସଂଯୋଗ ଥିବା ଏହି ବ୍ୟବସ୍ଥାରେ କେତେକ ଯୁବକ ପର୍ଣ୍ଣ ସାଇଟ ଖୋଲୁଥିବା ଦେଖାଯାଇଛି । ଏକାଧିକ କିଓସ୍କରେ ଏଭଳି ସର୍ଚ୍ଚ ନଜରକୁ ଆସିଛି । ବିଶେଷ କରି ଅପରାହ୍ନରେ ବହୁ ଯୁବକ ଏଥିରେ ପର୍ଣ୍ଣ ସାଇଟ ସର୍ଚ୍ଚ କରୁଛନ୍ତି । ବିଭିନ୍ନ କିଓସ୍କରେ ଏଭଳି ଅନେକ ସାଇଟ ସର୍ଚ୍ଚ ହୋଇଥିବା ନଜରକୁ ଆସିଛି । ବିଶେଷ କରି ରାମ ମନ୍ଦିର ପାଖ, କିଟ ଛକ ବିଗ ବଜାର ପାଖ, କଳିଙ୍ଗ ଷ୍ଟାଡିୟମ ୮ ନମ୍ବର ଗେଟ, କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ ଛକ, ଏମ୍ସ ଛକ, ଆରବିଆଇ ନିକଟରେ ଥିବା କିଓସ୍କରେ କେତେକ ବଗୁଲିଆ ଏଭଳି ସର୍ଚ୍ଚ କରିଥିବା ପ୍ରମାଣ ରହିଛି । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ କୌଣସି ପର୍ଣ୍ଣ ସାଇଟ ଏହି କିଓସ୍କରେ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛି ବିଏସସିଏଲ ।
Powered by Froala Editor