୧୦ ବର୍ଷ ପିଲାଙ୍କ ଭିତରେ ବଢିଯାଉଛି ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ସମ୍ଭାବନା
ଭୁବନେଶ୍ୱର: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମସ୍ତଙ୍କୁ କଲବଲ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ତେବେ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ରାଜ୍ୟରେ ଶିଶୁମାନଙ୍କ କୋଭିଡ ସଂକ୍ରମଣର ଏକ ମାସ ପରେ ଜନ୍ମରୁ ୧୦ ବର୍ଷ ପିଲାଙ୍କ ଭିତରେ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମର ସମ୍ଭାବନା ବଢିଯାଉଛି। ପ୍ରଥମ ଲହରିରେ ଏହା ଚିହ୍ନଟ ହୋଇ ନଥିଲା। ଦ୍ଵିତୀୟ ଲହରିରେ ଦେଖାଗଲା ଯେ ବହୁତ ପିଲା ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମରେ ପୀଡ଼ିତ ହୋଇ ଡାକ୍ତରଖାନାକୁ ଆସୁଛନ୍ତି। କୋଭିଡରୁ ସୁସ୍ଥ ହେବା ଏକ ମାସ ପରେ ସେମାନଙ୍କ ମୁଣ୍ଡବିନ୍ଧା, ଝାଡ଼ା ଓ ବାନ୍ତି ଆଦି ହେଉଛି। ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଓ ବେଡ୍ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଇସିୟୁ ଓ ଏଚଡିୟୁ ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି। ଖୁବ ଶୀଘ୍ର ସବୁ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ। ବର୍ତ୍ତମାନ ସବୁ ମେଡିକାଲ କଲେଜରେ ଏହି ସୁବିଧା ଅଛି।
Powered by Froala Editor