କରୋନାରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ ମୃତ୍ୟୁ
କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ର (ସିବିଆଇ) ନିର୍ଦେଶକ ରଣଜିତ ସିହ୍ନାଙ୍କର ଦେହାନ୍ତ ଘଟିଛି। ୬୮ ବର୍ଷୀୟ ସିହ୍ନା ଶୁକ୍ରବାର ଭୋର ୪.୩୦ରେ ଶେଷ୍ ନିଶ୍ୱାସ ତ୍ୟାଗ କରିଛନ୍ତି ।
୧୯୭୪ ବ୍ୟାଚ୍ର ବିହାର କ୍ୟାଡର୍ର ‘ଆଇପିଏସ୍’ ଅଧିକାରୀ ସିହ୍ନା ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ‘ସିବିଆଇ’ର ନିର୍ଦେଶକ ଥିଲେ। ‘ସିବିଆଇ’ର ମୁଖ୍ୟ ହେବା ପୂର୍ବରୁ ସେ ରେଲଓ୍ୱେ ସୁରକ୍ଷା ବଳର ନେତୃତ୍ୱ ନେବା ସହ ପାଟନା ଓ ଦିଲ୍ଲୀ ସିବିଆଇ ବରିଷ୍ଠ ପଦବୀରେ ରହିଆସିଛନ୍ତି । ସୂଚନା ଥାଉକି, ତାଙ୍କ ଜୀବନ କାଳମଧ୍ୟରେ ସେ ସିବିଆଇ ନିର୍ଦ୍ଦେଶକ, ଆଇଟିବିପି ଡିଜି ସହ ଅନେକ ପଦ ପଦବୀରେ ରହିଆସିଛନ୍ତି । ତେବେ ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ବି ରୁଜୁ ହୋଇଥିଲା । ଅଭିଯୋଗ ଥିଲା କି ସିବିଆଇ ନିର୍ଦ୍ଦେଶକ ପଦବୀରେ ଥିବାବେଳେ କୋଇଲା ଆବଣ୍ଟନ ଘଟଣାରେ ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ । ସିହ୍ନାଙ୍କ ଭୁମିକା ଥିବା ସନ୍ଦେହ ହେବାରୁ ତାଙ୍କ ବିରୋଧରେ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାବ୍ୟତୀତ ଇଶ୍ରାତ୍ ଜହାଁ ମିଥ୍ୟା ଏନ୍କାଉଣ୍ଟର୍ ମାମଲାରେ ‘ଇଣ୍ଟେଲିଜେନ୍ ବ୍ୟୁରୋ’ ସହ ମଧ୍ୟ ତାଙ୍କର ବିବାଦ ଘଟିଥିଲା। ୨୦୧୪ରେ ତାଙ୍କ ପତ୍ନୀ ପାଟନାରୁ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଉଦ୍ୟମ କରିବା ବେଳେ ମଧ୍ୟ ସିହ୍ନା ଚର୍ଚ୍ଚା ପରିସରକୁ ଆସିଥିଲେ।