ତାଲିବାନ ନେତାଙ୍କ ସହ ସିଆଇଏ ମୁଖ୍ୟଙ୍କ ଗୁପ୍ତ ବୈଠକ

ୱାଶିଂଟନ: ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ମୁଖ୍ୟ ୱିଲିୟମ ଜେ ବର୍ନସ ଗତକାଲି ତାଲିବାନ ନେତା ଅବଦୁଲ ଘନି ବରାଦରଙ୍କ ସହ କାବୁଲରେ ଏକ ଗୁପ୍ତ ବୈଠକ କରିଛନ୍ତି । ‘ୱାସିଂଟନ ପୋଷ୍ଟ’ ରିପୋର୍ଟରୁ ଏହା ଜଣାପଡ଼ିଛି । ଆଫଗାନିସ୍ତାନରେ ତାଲିବାନ ଶାସନ ଅକ୍ତିଆର କରିବାର ସପ୍ତାହକ ପରେ ଆମେରିକା ଏବଂ ତାଲିବାନ ମଧ୍ୟରେ ଏହା ପ୍ରଥମ ଆଲୋଚନା ବୈଠକ । ସିଆଇଏ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ବୈଠକରେ ଆଗାମୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ସେନା ପ୍ରତ୍ୟାହାର ପାଇଁ ତାଲିବାନ ଦେଇଥିବା ଧମକ ଦେଇ ଆଲୋଚନା ହୋଇଥିବା କୁହାଯାଉଛି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ଆଫଗାନିସ୍ତାନରୁ ଏହାର ସମସ୍ତ ନାଗରିକ ଏବଂ ସୈନିକଙ୍କୁ ଖାଲି ନ କଲେ ପରିଣାମ ଭୋଗିବ ବୋଲି ତାଲିବାନ ଧମକ ଦେଇଥିଲା । କିନ୍ତୁ ବ୍ରିଟେନ, ଫ୍ରାନ୍ସ ସମେତ ବିଭିନ୍ନ ରାଷ୍ଟ୍ର ଏହା ସମ୍ଭବ ନୁହେଁ ବୋଲି କହିବା ସହ ଅଗଷ୍ଟ ୩୧ ତାରିଖ ପରେ ବି ଆଫଗାନିସ୍ତାନରେ ଆମେରିକା ସୈନ୍ୟ ଉପସ୍ଥିତି ଜରୁରୀ ବୋଲି କୁହାଯାଇଥିଲା । ଅନୁଷ୍ଠିତ ଜି-୭ ବୈଠକରେ ମଧ୍ୟ ଏ ନେଇ ଆଲୋଚନା ହୋଇଛି । ବରାଦର ଓ ସିଆଇଏ ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକର ପରିଣାମ ଉପରେ ଅନେକ କିଛି ନିର୍ଭର କରୁଛି ବୋଲି କୁହାଯାଇଛି ।
Powered by Froala Editor