ପଂଜଶୀରରେ ତାଲିବାନ ବାହିନୀ
କାବୁଲ: ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଏବେ ତାଲିବାନ ବିରୋଧରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ପଶୀର ଉପତ୍ୟକାରେ ତାଲିବାନକୁ ତୀବ୍ର ବିରୋଧ କରାଯାଉଥିବାରୁ ଏହି ଅଂଚଳକୁ ଦଖଲ କରିବାକୁ ତାଲିବାନ ବାହିନୀ ଗତରାତିରେ ପଂଜଶୀରରେ ପହଞ୍ଚିଯାଇଛନ୍ତି । ଆତଙ୍କବାଦୀମାନେ ଏହି ଅଂଚଳ ଅକ୍ତିଆର କରିବାପାଇଁ ପଶୀରର ସମସ୍ତ ପ୍ରବେଶ ପଥକୁ ଘେରି ରହିଛନ୍ତି । ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏଠାରେ ବିଦ୍ରୋହୀଙ୍କ ନେତୃତ୍ୱ ନେଇ ତାଲିବାନ ବିରୋଧରେ ଲଢେ଼ଇ ଜାରି ରିହବ ବୋଲି ଘୋଷଣା କରିଛନ୍ତି । ପୂର୍ବ ଆଫଗାନିସ୍ତାନ ସରକାରର କିଛି ସଦସ୍ୟ ଏବଂ ଅନ୍ୟ ବିଦ୍ରୋହୀ ଗୋଷ୍ଠୀ ତାଲିବାନ ବିରୋଧରେ ଲଢେ଼ଇ ପାଇଁ ପ୍ରସ୍ତୁତ ଅଛନ୍ତି । ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏବଂ ଅହମଦ ମସୋଦ ପଶୀରରେ ତାଲିବାନକୁ କଦାପି ସଫଳ ହେବାକୁ ଦିଆଯିବ ନାହିଁ ବୋଲି କହିବା ସହ ୫ ହଜାରରୁ ଅଧିକ ସଶସ୍ତ୍ର ବିଦ୍ରୋହୀ ଏହାର ମୁକାବିଲା କରିବେ ବୋଲି କହିଛନ୍ତି । ମସୋଦ କହିଛନ୍ତି, ପଶୀର କାହା ନିକଟରେ ମୁଣ୍ଡ ନୁଆଁଇବ ନାହିଁ । ଯଦି ତାଲିବାନ ପଛକୁ ନହଟେ ତା'ହେଲେ ବଡ଼ ସଂଘର୍ଷ ନିଶ୍ଚିତ ବୋଲି ସେ କହିଛନ୍ତି । ଅନ୍ଦରବର ବିଭିନ୍ନ ଅଂଚଳରେ ତାଲିବାନ ଏବଂ ବିରୋଧୀ ବାହିନୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ସଂଘର୍ଷରେ ତାଲିବାନରର ଜଣେ ଜିଲ୍ଲା ମୁଖ୍ୟ ସମେତ ୫୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆଫଗାନିସ୍ତାନ ବଗଲାନ ପ୍ରଦେଶର ୩ଟି ଜିଲ୍ଲା ତଥା ବାନୋ, ଡେହ ସଲେହ ଏବଂ ପୁଲ ଏ ହେସାରକୁ ତାଲିବାନ ପୁନଃ ଅକ୍ତିଆର କରିଥିବା ଦାବି କରିଛି ।
Powered by Froala Editor