ଗୁରୁ ଗ୍ରନ୍ଥ ସାହିବକୁ ମୁଣ୍ଡରେ ବୋହି ବିମାନବନ୍ଦରରୁ ନେଲେ ମନ୍ତ୍ରୀ

ତାଲିବାନ ରାଜୁତିରେ ଭୟଭୀତ ଲୋକେ ଦେଶ ଛାଡୁଛନ୍ତି । ଇତିମଧ୍ୟରେ ତାଜିକିସ୍ତାନର ଦୁଶାନବେରୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନରେ ପ୍ରାୟ ୭୮ ଜଣ ଲୋକ ଆସିଥିଲେ। ଯାତ୍ରୀମାନଙ୍କୁ ଗୋଟିଏ ଦିନ ପୂର୍ବରୁ କାବୁଲରୁ ଭାରତୀୟ ବାୟୁସେନା ବିମାନ ଦ୍ୱାରା ଦୁଶାନବେକୁ ଅଣାଯାଇଥିଲା। ସେଠାରୁ ସେମାନଙ୍କୁ ନିରାପଦରେ ସ୍ବଦେଶ ଫେରାଇ ଅଣାଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୫ ଜଣ ଭାରତୀୟ ନାଗରିକଙ୍କ ସମେତ ୭୮ ଜଣ ଯାତ୍ରୀ ସ୍ବତନ୍ତ୍ର ଏୟାର ଇଣ୍ଡିଆ ବିମାନରେ ତାଜିକିସ୍ତାନର ଦୁଶାନବେରୁ ନୂଆଦିଲ୍ଲୀ ପହଞ୍ଚିଛନ୍ତି।
ତେବେ ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ହରଦୀପ୍ ସିଂ ପୁରୀ ସେମାନଙ୍କୁ ସ୍ବାଗତ କରିଛନ୍ତି। ସେ ଗୁରୁ ଗ୍ରନ୍ଥ ସାହିବ ମୁଣ୍ଡରେ ବୋହି ନେଇ ବିମାନବନ୍ଦର ବାହାରକୁ ଆସିଥିଲେ। ଏବେ ଏହାର ୩୪ ସେକେଣ୍ଡର ଏକ ଭିଡ଼ିଓ ଟୁଇଟରରେ ଭାଇରାଲ ହେବାରେ ଲାଗିଛି। ଗୁରୁ ଗ୍ରନ୍ଥ ସାହିବ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।
Powered by Froala Editor