ଅନ୍ଦାରବରେ ସଂଘର୍ଷ : ୫୦ ତାଲିବାନୀ ନିହତ

ପଞ୍ଜଶିରରୁ ସୃଷ୍ଟି ହୋଇଥିବା ବିରୋଧର ନିଆଁ ଏବେ ବିଭିନ୍ନ ଅଞ୍ଚଳକୁ ବ୍ୟାପିଛି। ତାଲିବାନକୁ ବିରୋଧ କରୁଥିବା ଲୋକମାନେ ଏକାଠି ହୋଇ ଅନ୍ଦାରବ ଠାରେ ଯୁଦ୍ଧ ଡାକରା ଦେଇଛନ୍ତି। ଏହାକୁ ନେଇ ଅନ୍ଦାରବର ବିଭିନ୍ନ ଅଞ୍ଚଳରେ ସେମାନଙ୍କର ସଂଘର୍ଷ ତାଲିବାନୀଙ୍କ ସହ ହୋଇଛି। ଏହି ସଂଘର୍ଷରେ ତାଲିବାନର ବାନୁ ଜିଲ୍ଲା ମୁଖ୍ୟଙ୍କ ସମେତ ତାଙ୍କର ତିନିଜଣ ସାଥୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏହା ସହ ଆଫଗାନିସ୍ତାନର ଫାଜର ଅଞ୍ଚଳରେ କରାଯାଇଥିବା ଆକ୍ରମଣରେ ୫୦ ତାଲିବାନ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣଙ୍କୁ ବନ୍ଦୀ କରି ଦିଆଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅହମ୍ମଦ ମାସୁଦଙ୍କ ନେତୃତ୍ବାଧୀନ ବିରୋଧୀ ସେନାର ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି।
ଶେଷ ରିପୋର୍ଟ ଅନୁଯାୟୀ, ତାଲିବାନ ବିଦ୍ରୋହୀମାନେ କେନ୍ଦ୍ରୀୟ ପଞ୍ଜଶିର ପ୍ରଦେଶକୁ ଘେରି ରହିଛନ୍ତି ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ପଞ୍ଜଶିରରେ ତାଲିବାନୀ ବିରୋଧୀ ମେଣ୍ଟର ନେତୃତ୍ୱ ନେଉଥିବା ଅହମଦ ମାସୁଦ ଆଲୋଚନା କରିବାକୁ ରାଜି ଥିବା କହିଥିଲେ ହେଁ ଦରକାର ପଡ଼ିଲେ ଲଢ଼େଇ କରିବାକୁ ପଛେଇବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ସ୍ଥାନୀୟ ମିଲିସିଆମାନେ ଗତ ସପ୍ତାହରେ ତାଲିବାନ ଠାରୁ ଉତ୍ତର ଆଫଗାନିସ୍ତାନର ୩ଟି ଜିଲ୍ଲା ଛଡ଼ାଇ ଆଣିଥିଲେ। ତେବେ ଆଜି ତାଲିବାନୀମାନେ ଘନଘନ ଆକ୍ରମଣ କରି ଉକ୍ତ ୩ ଜିଲ୍ଲାକୁ ପୁଣି କବଜା କରିନେଇଥିବା ଜଣାପଡ଼ିଛି। ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ, ତାଲିବାନ ଉତ୍ତର ଆଫଗାନିସ୍ତାନର ତିନୋଟି ଜିଲ୍ଲା ପୋଲ-ଏ-ହେସାର, ଦେହ ସାଲାହ ଏବଂ ବାନୁ ଜିଲ୍ଲାକୁ ପୁଣି ଥରେ ଦଖଲକୁ ନେଇଛି।
Powered by Froala Editor